ଭୁବନେଶ୍ୱର: ଗୁରୁବାର ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କାରାବରଣ କରିଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନ୍ ଦୁଇ ଗୁଣା କରାଯାଇଛି । ସ୍ୱାଧୀନତା ସଂଗ୍ରାମ ବେଳେ ଯେଉଁ ସଂଗ୍ରାମୀ ଜେଲ ଦଣ୍ଡ ଭୋଗିଥିବେ ସେମାନଙ୍କୁ ୨୦ ହଜାର ଟଙ୍କା ମାସିକ ଭତ୍ତା ପାଇବେ । ପୂର୍ବରୁ ସେମାନେ ୧୦ ହଜାର ଟଙ୍କା ଭତ୍ତା ପାଉଥିଲେ । ଓଡ଼ିଶାର ମହାନ୍ ବରପୁତ୍ର ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପୂଣ୍ୟତିଥି ଅବସରରେ ସ୍ଵାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ ୩୮ ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହା ଘୋଷଣା କରିଛନ୍ତି ।
ସେହିପରି କାରାବରଣ କରି ନ ଥିଲେ ୯ ହଜାର ପରିବର୍ତ୍ତେ ୧୫ ହଜାର ଟଙ୍କା ଭତ୍ତା ପାଇବେ । ଜାତୀୟ ପେନସନ ପାଉଥିବା ସଂଗ୍ରାମୀଙ୍କୁ ୮ ହଜାର ବଦଳରେ ୧୦ ହଜାର ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର । ଏହା ସହିତ MISA ଆଇନରେ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିଲେ ୨୦ ହଜାର ଟଙ୍କା ମାସିକ ଭତ୍ତା ପାଇବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି କି ସ୍ୱାଧୀନ ଭାରତ ଇତିହାସରେ ଜରୁରୀକାଳୀନ ପରିସ୍ଥିତି ଏକ କଳା ସମୟ ଥିଲା । ସମ୍ବିଧାନକୁ ଲୁଣ୍ଠନ କରାଯାଇଥିଲା । ଏହାକୁ ଦେଶର ଦ୍ୱିତୀୟ ସ୍ୱାଧିନତା ସଂଗ୍ରାମଭାବରେ ବିବେଚନା କରାଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମହାନ ସଂଗ୍ରାମୀ ମାଧୋ ସିଂହଙ୍କୁ ସମ୍ମାନ ଜଣାଇ ଆସନ୍ତା ଜାନୁଆରୀ ୫ ତାରିଖ ଦିନ ରାଜ୍ଯରେ ସହିଦ ମାଧୋ ସିଂହ ଙ୍କ ସ୍ମୃତିରେ ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଆରମ୍ଭ କରାଯିବ । ଆଜିର ଦିନରେ ସମସ୍ତ ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପ୍ରଣାମ ଜଣାଇବା ସହ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ, ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।