ପୁରୀ: ଜୁନ୍ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରଥମ ସମନ୍ବୟ ବୈଠକ ପୁରୀ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ଆରଡିସି ବି. ପରମେଶ୍ବରମ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ, ଜିଲ୍ଲାପାଳ, ଏସପି, ବରିଷ୍ଠ ସେବାୟତ, ବୁଦ୍ଧିଜୀବୀଙ୍କ ସହିତ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳା ସହିତ ସୁରୁଖୁରୁରେ ସମ୍ପାଦନ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ବିଶ୍ବପ୍ରସିଦ୍ଧ ରଥଯାତ୍ରା ଓ ଶ୍ରୀଜଗନ୍ନାଥ ଧାମକୁ ନେଇ ସ୍ଵତନ୍ତ୍ର ଆପ୍ ସହ ୱେବସାଇଟ୍ ନିମନ୍ତେ ଆଲୋଚନା ହୋଇଛି । ରଥଯାତ୍ରା ସମୟରେ ରେଳ ବିଭାଗ ପକ୍ଷରୁ ୩୬୫ଟି ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସିସିଟିଭି, ଅତ୍ୟାଧୁନିକ ଡ୍ରୋନ୍ କ୍ୟାମେରା ସହିତ AI କ୍ୟାମେରା ନଜରରେ ରହିବ ପୁରୀ। ରଥଯାତ୍ରା ସମୟରେ ପୁରୀ ପୌରାଞ୍ଚଳରେ ସମସ୍ତ ଭକ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା କରାଯିବ ବୋଲି ପ୍ରଥମ ସମନ୍ଵୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି. ପରମେଶ୍ୱରମ୍ ଙ୍କ ଅଧ୍ୟକ୍ଷତାରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଟାଉନ ହଲ ଠାରେ ଆୟୋଜିତ ବୈଠକରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ବିନୀତ ଅଗ୍ରୱାଲ, କେନ୍ଦ୍ରାଞ୍ଚଳ ଆଇଜି, ରେଳବାଇ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷ କରି ରଥକାଠ ଯୋଗାଣ, ରଥନିର୍ମାଣ, ନୀତି ସଂପାଦନ, ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଆଦି ୨୧ ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପୁରୀ ପୌରାଞ୍ଚଳରେ ଚନ୍ଦନ ଯାତ୍ରାରେ ୧୦ ଜଣଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା କରାଯାଇଛି। ରଥଯାତ୍ରା ସମୟରେ ଲୋକଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ। ରଥଯାତ୍ରା ପାଇଁ ରଥ ଦଉଡ଼ି, ଅଣସର ପାଇଁ ୧୬୮ କେ.ଜି ଝୁଣା, ୩୦୦ କେ.ଜି ଚନ୍ଦନ କାଠ ମହଜୁଦ ଅଛି। ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବିଗତ ବର୍ଷର ୫୧ ଖଣ୍ଡ ବଳକା ରହିଛି। ଖପୁରିଆ କରତକଳକୁ ଆବଶ୍ୟକ ୪୧୮ ଖଣ୍ଡ କାଠ ମଧ୍ୟରୁ ୧୫୭ ଖଣ୍ଡ ଏବଂ ରଥଖଳା ପାଇଁ ଆବଶ୍ୟକ ୩୯୬ ଖଣ୍ଡ କାଠ ମଧ୍ୟରୁ ୧୬୯ ଖଣ୍ଡ କାଠ ପହଞ୍ଚି ସାରିଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଥିଲେ। ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ରଥଯାତ୍ରା ସମୟରେ ସ୍ବାସ୍ଥ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି। ୧୪୦ଟି ଅଧିକ ଶଯ୍ୟା, ୩୩ଟି ଆଶୁ ଚିକିତ୍ସା କେନ୍ଦ୍ର ଓ ୫ ଜଣ ଫୁଡ୍ ଇନ୍ସପେକ୍ଟର ଆସିବେ ବୋଲି ବୈଠକରେ ସୂଚନା ଦିଆଯାଇଛି।
ସେହିପରି ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସହ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ସ୍ଵାସ୍ଥ୍ୟ ଓ ବିଦ୍ୟୁତ୍ ଯୋଗାଣ ନେଇ ବୈଠକରେ ବେଶ୍ ସରଗରମ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ୩୬୫ ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ।ଭିନ୍ନକ୍ଷମଙ୍କ ଦର୍ଶନ ପାଇଁ ବଡଦାଣ୍ଡର ୫ ରୁ ୭ ସ୍ଥାନରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଶ୍ରୀଜଗନ୍ନାଥ ବନପ୍ରକଳ୍ପ ପାଇଁ ଡାଟା ବେସ୍ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ଆରଡିସି। ବଡ଼ଦାଣ୍ଡର ଉଭୟ ପାର୍ଶ୍ଵର ନାଳ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ରେଡ଼କ୍ରସ ରୋଡ ସମେତ କ୍ରସ ଡ୍ରେନ୍ ଓ ବଡ଼ଦାଣ୍ଡର ସଫେଇ କାର୍ଯ୍ୟ ମେ ୧୫ ସୁଦ୍ଧା ଶେଷ ହେବ। ବଡ଼ଦାଣ୍ଡକୁ ୧୫ଟି ଜୋନରେ ବିଭକ୍ତ କରାଯାଇଛି। ୧୪ଟି ଜଳମଗ୍ନ ଅଞ୍ଚଳ ଚିହ୍ନଟ କରାଯାଇଛି। ଜୁନ୍ ସୁଦ୍ଧା ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସାହି, ଗଳିକନ୍ଦି ନାଳ ସଫେଇ ଶେଷ କରାଯିବ। ରଥଯାତ୍ରା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି। ବଡ଼ଦାଣ୍ଡର ଉଭୟ ପାର୍ଶ୍ବ ଓ ଜନଗହଳିପୂର୍ଣ୍ଣ ସ୍ଥାନ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସହ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ବିଦ୍ୟୁତ ସମସ୍ୟା ନେଇ ବୈଠକରେ ସରଗରମ ଆଲୋଚନା ହୋଇଥିଲା। ସହରକୁ ତିନୋଟି ଗ୍ରୀଡ୍ ଓ ସାତୋଟି ସବଗ୍ରୀଡ ମାଧ୍ୟମରେ ବିଦ୍ୟୁତ ଯୋଗାଣ ହେଉଛି। ବିଦ୍ୟୁତ ସମସ୍ୟା ସମାଧାନ ନେଇ ଟାଟା ପାୱାର ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ରଥଯାତ୍ରା ସମୟରେ ସ୍ବତନ୍ତ୍ର ବସ୍ ଚଳାଚଳ ନିର୍ଦ୍ଧାରିତ ରେଟ ଚାର୍ଟ, ଦୁର୍ଘଟଣା ରୋକିବା ପାଇଁ ଇଣ୍ଟରସେପ୍ଟର କ୍ରେନ୍ ନିୟୋଜିତ ହେବ। ଟ୍ରେନ୍ ର ସମୟ ଏବଂ ସୂଚନା ପ୍ରଦାନ ପାଇଁ ଭିଡିଓ ଓ୍ବାଲ୍ ସହ ଟିକେଟ ବୁକିଂ କାଉଣ୍ଟର, ଅଟୋମେଟିକ୍ ଟିକେଟ ଭେଣ୍ଡିଙ୍ଗ ମେସିନ୍ ଲଗାଯିବ। ଶାନ୍ତି ଶୃଙ୍ଖଳା ରକ୍ଷା, ଆଇନଶୃଙ୍ଖଳା ପରିସ୍ଥିତି, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ପାଇଁ ପ୍ରତିବର୍ଷ ପରି ପର୍ଯ୍ୟାପ୍ତ ପୋଲିସ ମୁତୟନ ହେବେ। ମାଳତୀପାଟପୁର ଓ ତାଳବଣିଆରେ ବସ ଗୁଡ଼ିକର ପାର୍କିଂ ବ୍ୟବସ୍ଥା ହେବ। ୧୩୦ ନିୟମିତ ବସ ସହ ଅଧିକ ବସ ଚଳାଚଳ କରିବ। ଭୋଳାନାଥ ବିଦ୍ୟାପୀଠରୁ ଜାତୀୟ ପଲ୍ଲୀଶ୍ରୀ ମେଳା ସ୍ଥାନାନ୍ତରଣ ନ ହେବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି।
ପ୍ରଥମ ସମନ୍ୱୟ ବୈଠକରେ ବିଭାଗ ଗୁଡିକ ଦେଇଥିବା ପ୍ରତିଶୃତି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଆରଡିସି ଓ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ବୈଠକରେ ସେବାୟତ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି , ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଉପସ୍ଥିତ ଥିଲେ।