ଶନିବାର ରାତିରେ ଶ୍ରୀମନ୍ଦିର ପରିସରରେ ପୁଣି ଅଘଟଣ ଘଟି ବେଢାରେ ଥିବା ବେଢ଼ାକାଳୀ ମନ୍ଦିରରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି। ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ଟ୍ୟୁବ୍ ଲାଇଟ୍ରେ ନିଆଁ ଲାଗି ସମ୍ପୂର୍ଣ୍ଣ ବେଢ଼ାକାଳୀ ମନ୍ଦିର ପରିସର ଧୂଆଁମୟ ହୋଇଯାଇଥିଲା। ତେବେ ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁୟାୟୀ, ଶନିବାର ରାତି ପ୍ରାୟ ୧୦.୩୦ ସମୟରେ ଶ୍ରୀମନ୍ଦିରର ବେଢ଼ାକାଳୀ ମନ୍ଦିରରେ ହଠାତ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ ସେବାୟତ । ପ୍ରଥମେ ଟ୍ୟୁବ୍ ଲାଇଟ୍ରେ ନିଆଁ ଲାଗିବାରୁ ଧୂଆଁମୟ ହୋଇଯାଇଥିଲା ବେଢ଼ାକାଳୀ ମନ୍ଦିର । ଏନେଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ଶ୍ରୀମନ୍ଦିରରେ ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସୁଥିବା ବେଳେ ଶନିବାର ଭୋର ସମୟରେ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ବରାହ ମନ୍ଦିର ନିକଟରେ ଏକ ପଥର ଖସିଥିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ପୁଣି ଏହି ଘଟଣା ପାଇଁ ଶ୍ରୀମନ୍ଦିରର ସଂରକ୍ଷଣ କାର୍ଯ୍ୟରେ ପ୍ରଶ୍ନବାଚୀ ଉଠେଇଛନ୍ତି ଜଗନ୍ନାଥପ୍ରେମୀ।
ଅଧିକ ପଢନ୍ତୁ: ଚର୍ଚ୍ଚାରେ ଓଡ଼ିଆ ସର୍ଜନ୍ କମାଣ୍ଡର ଅନନ୍ୟା