ହୁତି ଆକ୍ରମଣରେ ଶିକାର ହୋଇଥିବା ଆହତଙ୍କ ଜୀବନ ବଞ୍ଚାଇ ଏବେ ଚର୍ଚ୍ଚାରେ ଓଡ଼ିଆ ଝିଅ ଅନନ୍ୟା ଦଳବେହେରା। ମିଶାଇଲ ମାଡ଼ରେ ଧ୍ବସ୍ତବିଧ୍ବସ୍ତ ଏକ ପଣ୍ୟବାହୀ ଜାହାଜରେ ଥିବା ଆହତମାନଙ୍କୁ ବଞ୍ଚାଇଛନ୍ତି। ଯୁଦ୍ଧକାଳୀନ ପରିସ୍ଥିତିରେ ସମୁଦ୍ର ଭିତରେ ଏତେବଡ଼ ଦାୟିତ୍ୱ ନିର୍ବାହ କରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ସିରିଆର ହୁତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ମାଡ଼ରେ ୱେଷ୍ଟଇଣ୍ଡିଜ୍ ବାର୍ବାଡୋସ୍ର ଏକ ପଣ୍ୟବାହୀ ଜାହାଜ ‘ଏମ୍ଭି ଟ୍ରୁ କନ୍ଫିଡେନ୍ସ’ ଧ୍ବସ୍ତ ହୋଇଯାଇଥିଲା। ଏହି ଜାହାଜରେ ୨୧ ଜଣ ନାବିକ ଓ କର୍ମଚାରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ଥିଲେ। ତେବେ କ୍ଷେପଣାସ୍ତ୍ର ମାଡ଼ରେ ଘଟଣାସ୍ଥଳରେ ହିଁ ୩ ଜଣ ନାବିକଙ୍କର ଜୀବନହାନୀ ହେବା ସହ ଅନ୍ୟମାନେ ଗୁରୁତର ଭାବେ ଆହତ ହୋଇଥିଲେ।
ତେବେ ଘଟଣା ସଂକ୍ରାନ୍ତରେ ଖବର ପାଇ ଉଦ୍ଧାର କାର୍ଯ୍ୟ ନିମନ୍ତେ ସେଠାରେ ପହଞ୍ଚିଥିଲା ଭାରତୀୟ ନୌସେନାର ଯୁଦ୍ଧପୋତ INS କୋଲକାତା। ସେହି ଜାହାଜରେ ଏକମାତ୍ର ଡାକ୍ତର ଭାବରେ ନିଯୁକ୍ତ ଥିଲେ ବାରିପଦାର ଝିଅ ସର୍ଜନ୍ କମାଣ୍ଡର ଅନନ୍ୟା ଦଳବେହେରା। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ଥିବା ବେଳେ ଜଣେ ମାତ୍ର ଡାକ୍ତରୀ ସହାୟକଙ୍କ ସହାୟତରେ ସେମାନଙ୍କ ଜୀବନ ରକ୍ଷା କରିଥିଲେ ସର୍ଜନ କମାଣ୍ଡର ଅନନ୍ୟା ।
ଅନନ୍ୟା ହେଉଛନ୍ତି ମୟୂରଭଞ୍ଜର ଜଣାଶୁଣା ସାହିତ୍ୟିକ ମନୋଜ ଦଳବେହେରା ଓ ସୁପ୍ରୀତି ଦଳବେହେରାଙ୍କ ଝିଅ। ଅନନ୍ୟାଙ୍କ ସ୍ବାମୀ ନୀତିନ ଦାସ ମଧ୍ୟ ଭାରତୀୟ ସ୍ଥଳସେନାରେ ଡାକ୍ତର ଅଛନ୍ତି। ତେବେ ତାଙ୍କ ଅଦମ୍ୟ ସାହସ ଓ ଦକ୍ଷତା ପାଇଁ ପ୍ରଶଂସାର ସୁଅ ଛୁଟିଛି ।
ଅଧିକ ପଢନ୍ତୁ: ସପ୍ତମ ବୌଦ୍ଧ କପ୍ କ୍ରିକେଟ୍: ଅନୁଗୁଳ ଫାଇନାଲରେ