ନୂଆଦିଲ୍ଲୀ: ବଲୁଚିସ୍ତାନରେ ଘଟିଥିବା ଟ୍ରେନ ହାଇଜ୍ୟାକ ଘଟଣା ଏବେ ଭିନ୍ନ ମୋଡ ନେଇଛି । ବଲୋଚ ଲିବେରେସନ ଆର୍ମି(ବିଏଲଏ) ଓ ପାକିସ୍ତାନ ପକ୍ଷରୁ ଭିନ୍ନ ଭିନ୍ନ ଦାବି କରାଯାଇଛି । ପାକିସ୍ତାନୀ ସେନର ଦାବି ଆମେ ସବୁ ଆତଙ୍କବଦୀଙ୍କୁ ସଫା କରି ଦେଇଛୁ ଏବଂ ସମସ୍ତ ଅପହୃତଙ୍କୁ ମୁକ୍ତ କରିଛୁ । ଏହି ଅପରେସନରେ ୪ ସୈନିକଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନ ସ୍ୱୀକାର କରିଛି । ଅନ୍ୟପଟେ ବିଏଲଏର ଦାବି ଏହି ଘଟଣାରେ ୧୦୦ରୁ ଅଧିକ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୫୦ ବନ୍ଧକ ଏବେ ମଧ୍ୟ ତାଙ୍କ କବଜାରେ ଅଛନ୍ତି ।
ଜାଫର ଏକ୍ସପ୍ରେସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଆଇଏସପିଆରର ଡିଜି କହିଛନ୍ତି, ବୋଲନର ଦାଦର ଅଞ୍ଚଳରେ ମାର୍ଚ୍ଚ ୧୧ ଅପରାହ୍ଣ ୧ଟାରେ ଆତଙ୍କବାଦୀମାନେ ଟ୍ରେନର ଟ୍ରାକକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ ଏବଂ ଯାତ୍ରୀଙ୍କୁ ବନ୍ଧକ ରଖିଥିଲେ । ଘଟଣା ସମୟରେ ଟ୍ରେନରେ ୪୪୦ ଯାତ୍ରୀ ଥିଲେ । ସୁରକ୍ଷାବଳ ପକ୍ଷରୁ ଅପରେସନ ଆରମ୍ଭ ହେବା ପୂର୍ବରୁ ଆତଙ୍କବାଦୀମାନେ ୨୧ ଜଣ ନିର୍ଦ୍ଦୋଷ ଯାତ୍ରୀଙ୍କ ହତ୍ୟା କରିଥିଲେ । ଆତଙ୍କବାଦୀମାନେ ଯାତ୍ରୀଙ୍କୁ ୩-୪ ଗ୍ରୁପରେ ବନ୍ଧକ କରି ରଖିଥିଲେ । ଆତଙ୍କବାଦୀମାନେ ଆଫଗାନିସ୍ତାନରେ ନିଜର ହ୍ୟାଣ୍ଡଲର୍ସଙ୍କ ସହିତ ଆଲୋଚନା କରୁଥିଲେ ଏବଂ ସେମାନଙ୍କ ନିର୍ଦ୍ଦେଶ ମାନୁଥିଲେ ।
ଡିଜି କହିଛନ୍ତି, ସୁରକ୍ଷାବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୩ ଜଣ ଆତଙ୍କବାଦୀଙ୍କ ନିପାତ କରିଛନ୍ତି ଏବଂ ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି । ସ୍ନାଇପରଙ୍କ ଜରିଆରେ ଆତଙ୍କବାଦୀଙ୍କୁ ନିପାତ କରାଯାଇ ବନ୍ଧକ ଯାତ୍ରୀମାନଙ୍କୁ ସକୁଶଳ ଉଦ୍ଧାର କରାଯାଇଛି ।
ଅନ୍ୟପଟେ ବିଏଲଏ ଗତକାଲି ବୟାନ ଜାରି କରି କହିଥିଲା ଯେ, ସାଧାରଣ ନାଗରିକଙ୍କୁ ଛାଡି ଦେଇଛୁ । କେବଳ ସେନା ଓ ଆଇଏସଆଇର ଅଧିକାରୀଙ୍କୁ ବନ୍ଧକ ରଖିଛୁ । ଟ୍ରେନରେ ଥିବା ସମସ୍ତ ୧୦୦ ପାକିସ୍ତାନୀ ସେନା କର୍ମଚାରୀଙ୍କୁ ହତ୍ୟା କରିଛୁ । ବୁଧବାର କେବଳ ଘୋଟିଏ ଘଣ୍ଟା ଭିତରେ ୫୦ ଯବାନଙ୍କୁ ହତ୍ୟା କରିଛୁ । ବିଏଲଏର ଦାବି ମୁତାବକ ୧୦୦ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ ଏବେ ବି ତାଙ୍କ କବଳରେ ଅଛନ୍ତି ।