ନୂଆଦିଲ୍ଲୀ: ପାକିସ୍ଥାନରେ ଜଫର ଏକ୍ସପ୍ରେସର ଶତାଧିକ ଯାତ୍ରୀଙ୍କୁ ବଲୋଚିସ୍ଥାନ ଲିବରେସନ ଆର୍ମିର ସଦସ୍ୟମାନେ ଅପହରଣ କରିନେଇଥିବା ବେଳେ ବୁଧବାର ସକାଳେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଏବେ ମଧ୍ୟ ପାକିସ୍ଥାନ ସୁରକ୍ଷା ଦଳ ବନ୍ଧକ ଯାତ୍ରୀ ମାନଙ୍କୁ ରକ୍ଷା କରିବା ପାଇଁ ଉଦ୍ଧାରକାରୀ ଅପରେସନ ଜାରି ରହିଛି । ବିଛିନ୍ନତାବାଦୀ ସଂଗଠନ ବଲୋଚିସ୍ଥାନ ଲିବରେସନ ପାର୍ଟି ଏହି ଅପହରଣର ଦାଇତ୍ୱ ନିଜ ଉପରେ ନେଇଛି । ତେବେ ଏହି ଟ୍ରେନଟି ପାକିସ୍ଥାନର କେଟା ଠାରୁ ପେଶୱାର ଯାତ୍ରା କରୁଥିଲା । ବୁଧବାର ସକାଳ ସୁଦ୍ଧା ୧୫୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯିବ ସହିତ ୨୭ ଜଣ ଅପହରଣକାରୀଙ୍କୁ ସୁରକ୍ଷାଦଳ ହତ୍ୟା କରିଛନ୍ତି ।
ମଙ୍ଗଳବାର ଏହି ଦଳର ସଦସ୍ୟ ମାନେ ୪୨୫ ଯାତ୍ରୀ ବିଶିଷ୍ଟ ଜାଫର ଏକ୍ସପ୍ରେସକୁ ଖୋଲା ଗୁଳିଚାଳନା କରି ଅପହରଣ କରିନେଇଥିଲେ । ଏକ୍ସପ୍ରେସଟି ଗୁଦଲର ଓ ପିରୁ କୁନରୀର ପର୍ବତାଞ୍ଚଳରେ ଥିବା ମାସ୍କାଫ ଟନେଲ ଅତିକ୍ରମ କରିବାବେଳେ ଅପହରଣ ବଲୋଚ ଲିବରେସନ ଆର୍ମିର ସଦସ୍ୟମାନେ ଅପହରଣ କରିନେଇଥିଲେ ।
ବଲୋଚିସ୍ଥାନ ଲିବରେସନ ଆର୍ମି, ପାକିସ୍ଥାନର ଏକ ବିଛିନ୍ନତାବାଦୀ ଦଳ ଅଟେ । ପାକିସ୍ଥାନରୁ ବଲୋଚିସ୍ଥାନର ସ୍ୱାଧୀନତା ପାଇଁ ଏହି ଦଳ ବିଭିନ୍ନ ସମୟରେ ପାକିସ୍ଥାନରେ ଆକ୍ରମଣ ଜାରି ରଖିଛି । ନିକଟ ଅତୀତରେ ବଲୋଚିସ୍ଥାନ ଲିବରେସନ ଆର୍ମି ସମୁଦାୟ ୨୧୪ ଜଣଙ୍କୁ ବନ୍ଧକ କରି ରଖାଯାଇ ଥିବା ବେଳେ ଅନ୍ୟୁନ୍ୟ ୩୦ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରକାଶ କରିଛି । ଏହା ସହିତ ଆଗାମୀ ଦିନରେ ସେମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି ।
ରାଣା ଦିଲାୱର ନାମକ ଜଣେ ଉଚ୍ଚପଦାଧିକାରୀଙ୍କ ଅନୁଯାୟୀ ଟ୍ରେନଟି ଏବେ ମଧ୍ୟ ଆତଙ୍କବାଦୀଙ୍କ କବ୍ଜାରେ ରହିଥିବା ବେଳେ ସଶସ୍ତ୍ର ଆତଙ୍କବାଦୀମାନେ ଏବେ ମଧ୍ୟ ସେଠାରେ ବନ୍ଧକଙ୍କୁ ରଖିଛନ୍ତି । ଉଦ୍ଧାରକାରୀ ଅପରେସନ ଏବେ ମଧ୍ୟ ଜାରି ରହିଛି , ରେସକ୍ୟୁ ଟିମ ସହିତ ହେଲିକପ୍ଟର ମଧ୍ୟ ମୁତୟନ କରାଯାଇଛି । ତେବେ ଏହି ଅପହରଣ ପଛରେ ବଲୋଚିସ୍ଥାନ ଲିବରେସନ ଆର୍ମି ଏକ ବିବୃତି ଜାରି କରି କହିଛି, ପୂର୍ବରୁ ପାକିସ୍ଥାନ ସୁରକ୍ଷା କର୍ମୀଙ୍କ ଦ୍ୱାରା ବନ୍ଦୀ କରାଯାଇଥିବା ବଲୋଚିସ୍ଥାନର ରାଜନୈତିକ ବନ୍ଦୀ, ପ୍ରଦର୍ଶନକାରୀ ଓ ଅପହରଣ କରାଯାଇଥିବା ସାଧାରଣ ଜନତାଙ୍କୁ ୪୮ ଘଣ୍ଟା ମଧ୍ୟରେ ମୁକ୍ତ କରିବା ପାଇଁ ଦାବି କରିଛନ୍ତି । ଯଦି ତାଙ୍କର ଏହି ସର୍ତ୍ତ ଧାର୍ଯ୍ୟ ସମୟ ମଧ୍ୟରେ ପୁରଣ ନ କରାଗଲା ତେବେ ସମ୍ପୂର୍ଣ୍ଣ ଟ୍ରେନକୁ ଧ୍ବଂସ କରିଦିଆଯିବ ବୋଲି ଧମକ ଦେଇଛନ୍ତି ।