ନୂଆଦିଲ୍ଲୀ: ବଲୁଚିସ୍ତାନରେ ଘଟିଥିବା ଟ୍ରେନ ହାଇଜ୍ୟାକ ଘଟଣା ଏବେ ଭିନ୍ନ ମୋଡ ନେଇଛି । ବଲୋଚ ଲିବେରେସନ ଆର୍ମି(ବିଏଲଏ) ଓ ପାକିସ୍ତାନ ପକ୍ଷରୁ ଭିନ୍ନ ଭିନ୍ନ ଦାବି କରାଯାଇଛି । ପାକିସ୍ତାନୀ ସେନର ଦାବି ଆମେ ସବୁ ଆତଙ୍କବଦୀଙ୍କୁ ସଫା କରି ଦେଇଛୁ ଏବଂ ସମସ୍ତ ଅପହୃତଙ୍କୁ ମୁକ୍ତ କରିଛୁ । ଏହି ଅପରେସନରେ ୪ ସୈନିକ ଓ ୨୧ ନାଗରିକଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନ ସ୍ୱୀକାର କରିଛି । ଅନ୍ୟପଟେ ବିଏଲଏର ଦାବି ଏହି ଘଟଣାରେ ୧୦୦ରୁ ଅଧିକ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୫୦ ବନ୍ଧକ ଏବେ ମଧ୍ୟ ତାଙ୍କ କବଜାରେ । ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ କଫିନର ଫଟୋ ଏବଂ ବିଏଲଏ ପକ୍ଷରୁ ଜାରି ଏକ ଭିଡିଓ ପାକିସ୍ତାନରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଟ୍ରେନ ହାଇଜ୍ୟାକ ହେବା ପରେ ଆଉ ଏକ ନୂତନ ଖବର ଚହଳ ପକାଇ ଦେଇଛି । କୁହାଯାଉଛି ପାକିସ୍ତାନ ସରକାର ପକ୍ଷରୁ ୨୦୦ରୁ ଅଧିକ କଫିନ କ୍ୱେଟା ଅଣାଯାଇଛି । ଏହି ସବୁ କଫିନ ଗୁଡିକୁ ବୋଲନ ଜିଲ୍ଲାର ସେହି ଅଞ୍ଚଳକୁ ପଠା ଯାଇଥିଲା, ଯେଉଁଠି ବିଏଲଏ ବିଦ୍ରୋହୀ ଟ୍ରେନ ହାଇଜ୍ୟାକ କରିଥିଲେ । ଏହି ଘଟଣାକ୍ରମ ପରେ ପାକିସ୍ତାନ ସରକାର ଉପରେ ଚାପ ଆହୁରି ବଢିବାରେ ଲାଗିଛି । କାରଣ ହାଇଜ୍ୟାକ କରିଥିବା ଆତଙ୍କବାଦୀଙ୍କ ଗହଣରେ ଆତ୍ମଘାତୀ ବମ୍ବର ବସିଛି, ଯିଏ ପରିସ୍ଥିତିକୁ ଆହୁରି ଗମ୍ଭୀର କରି ଦେଇଛି ।
ବିଏଲଏ ପାକିସ୍ତାନ ସରକାରକୁ ୪୮ ଘଣ୍ଟାର ମହତଲ ଦେଇଥିଲା, ଯାହା ଏବେ କମି କମି ଆଉ କିଛି ଘଣ୍ଟା ବାକି ରହିଛି । ଏଥିରେ ସ୍ପଷ୍ଟ ଶବ୍ଦରେ ଚେତାବନୀ ଦିଆଯାଇଛି ଯେ, ଯଦି ବଲୁଚର ରାଜନୈତିକ କଏଦୀଙ୍କୁ ମୁକ୍ତ କରା ନ ଯାଏ ଏବଂ ସୈନ୍ୟ ଅପରେସନ ବନ୍ଦ କରା ନ ଯାଏ ତେବେ ସମସ୍ତ ବନ୍ଧକଙ୍କୁ ହତ୍ୟା କରାଯିବ । ଏହି କ୍ରମରେ ବିଏଲଏ ଆଉ ଏକ ପ୍ରେସ୍ ବିବୃତି ଜାରି କରିଛି ଏବଂ ପାକିସ୍ତାନ ସରକାରଙ୍କୁ ନିଜର ସର୍ତ୍ତ ମନେ ପକାଇ ଦେଇଛି । ଆଉ ଏହି ସଦ୍ୟତମ ପ୍ରେସ୍ ବିବୃତି ପାକିସ୍ତାନରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ବିଏଲଏ ପକ୍ଷରୁ ଜାରି ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, ବିଏଲଏ ପାହାଡିଆ ଅଞ୍ଚଳରେ ନିଜର ସ୍ଥିତି ସମ୍ଭାଳି ରଖିଛନ୍ତି । ଟ୍ରେନ ହାଇଜ୍ୟାକ ହେବା ମାତ୍ରେ ବିଦ୍ରୋହୀ ଆତଙ୍କବାଦୀ ତିନି ଗୋଷ୍ଠୀରେ ଟ୍ରେନ ଯାତ୍ରୀ ସହ ପାକିସ୍ତାନୀ ସୈନିକ ଓ ଆଇଏସଆଇ ଏଜେଣ୍ଟକୁ ବନ୍ଧକ କରି ରଖିଥିବା ଭିଡିଓରେ ଦେଖିବାକୁ ମିଳିଛି ।
ପାକିସ୍ତାନୀ ସେନା ଦାବି କରିଛି ଯେ, ସେମାନେ ୧୫୦ରୁ ଅଧିକ ବନ୍ଧକକୁ ଉଦ୍ଧାର କରିଛନ୍ତି । ମାତ୍ର ରିପୋର୍ଟ ଅନୁସାରେ ସାଧାରଣ ନାଗରିକଙ୍କୁ ବିଏଲଏ ହିଁ ମୁକ୍ତ କରିଛନ୍ତି । ହାଇଜ୍ୟାକ ସମୟରେ ଟ୍ରେନରେ ୪୦୦ରୁ ୫୦୦ ଯାତ୍ରୀ ଥିଲେ । କିନ୍ତୁ ବିଏଲଏ ସାଧାରଣ ନାଗରିକଙ୍କୁ ଛାଡି ଦେଇ କେବଳ ସେନାର ଯବାନ ଓ ଆଇଏସଆଇ ଏଜେଣ୍ଡକୁ ଟାର୍ଗେଟ୍ କରିଛନ୍ତି । ତେଣୁ ପାକିସ୍ତାନୀ ସେନାର କାର୍ଯ୍ୟାନୁଷ୍ଠାନ ଓ ଏହାର ଦାବି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଏବେ ସଭିଙ୍କ ନଜର ଆଗାମୀ ୨୪ ଘଣ୍ଟା ଉପରେ ରହିଛି । କାରଣ ଯଦି ସରକାର ବିଏଲଏର ସର୍ତ୍ତ ନ ମାନନ୍ତି ତେବେ ଏହି ସଙ୍କଟ ଆହୁରି ଭୟଙ୍କର ହୋଇପାରେ ।