ରାୟଗଡା: ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଳକ ବାଇସିଂ ପଞ୍ଚାୟତ ଦୁମାଗୁଡା ଗ୍ରାମରେ। ଗତକାଲି ଅପରାହ୍ନରେ ହଠାତ୍ ଖଳାରେ ନିଆଁ ଲାଗିଯାଇଥିଲା। ୬ ଜଣ ଆଦିବାସୀ ଚାଷୀଙ୍କ ପ୍ରାୟ ୧୫ ଏକର ଜମିର ୪ଶହରୁ ଉର୍ଦ୍ଧ୍ବ ଧାନ ବସ୍ତା ପୋଡି ନଷ୍ଟ ହୋଇଯାଇଛି। ତେବେ କେଉଁ କାରଣରୁ ଖଳାରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।
ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଥିଲେ। ଗ୍ରାମର ଆଦିବାସୀ ଚାଷୀ ଅଶାନ୍ତ କାଡ୍ରାକା, କ୍ରିଷ୍ଣାମା ମାଣ୍ଡାଙ୍ଗି,ବାଷ୍ଟାମା ମାଣ୍ଡାଙ୍ଗି, ତୁଲେ କଣ୍ଡାଗୋରୀ, ଇରକାଲି ମେଲେକା ଓ ରାଇସିଂ ମାଣ୍ଡାଙ୍ଗିଙ୍କ ଧାନ ନଷ୍ଟ ହୋଇଥିବା ଜଣାପଡିଛି। ଅଗ୍ନିଶମ ନିଅଁକୁ ଆୟତ୍ତ କରିବା ପୂର୍ବରୁ ସମସ୍ତ ଧାନ ଜଳି ପାଉଁଶ ହୋଇଥିବା ପୀଡ଼ିତ ଚାଷୀ କହିଛନ୍ତି। ତେବେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ସରକାରୀ ସହାୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।