ଭୁୁବନେଶ୍ୱର: ବହୁ ବିବାଦ ପରେ ମଧ୍ୟ ଇସ୍କନ ଗତକାଲି ଆମେରିକା ହ୍ୟୁଷ୍ଟନ୍ରେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି। ‘ଫେଷ୍ଟିଭାଲ ଅଫ ବ୍ଲିସ’ ନାଁରେ ରଥଯାତ୍ରା କରିଛି ଇସ୍କନ। ଗଜପତି ମହାରାଜଙ୍କ ଗଭୀର ଅସନ୍ତୋଷ ପ୍ରକାଶ ପରେ ବି ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଟାଣିଛି ଇସ୍କନ। ଯାହା କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି।
ନିକଟରେ ଅଦିନିଆ ରଥଯାତ୍ରା ନ କରିବାକୁ ଗଜପତି ମହାରାଜା ତାଗିଦ କରିଥିଲେ । ଯଦି ଇସ୍କନ ସଠିକ ନିୟମ ପାଳନ କରେ ତେବେ ଆଇନର ଆଶ୍ରୟ ନିଆଯିବ ବୋଲି କହିଥିଲେ । ଗଜପତି ମହାରାଜଙ୍କ କଠୋର ଆଭିମୁଖ୍ୟ ପରେ ଏଥିରୁ ନିବୃତ୍ତ ରହିବ ବୋଲି ଇସ୍କନ ପକ୍ଷରୁ କୁହାଯାଇଥିଲା। ଏହାପରେ ଆମେରିକା ହ୍ୟୁଷ୍ଟନରେ ଶ୍ରୀଜିଉଙ୍କ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା ହେବନି ବୋଲି ଇସ୍କନ ପକ୍ଷରୁ ସୂଚନା ଦିଆଯାଇଥିଲା।
ତଥାପି ନିର୍ଦ୍ଧାରିତ ଦିନ ଆର୍ଥାତ ନଭେମ୍ବର ୯ରେ ହ୍ୟୁଷ୍ଟନରେ ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଏହାକୁ ଟାଣିବା ସହ ‘ଫେଷ୍ଟିଭାଲ ଅଫ ବ୍ଲିସ’ ପାଳନ କରିଛି ଇସ୍କନ । ରଥରେ ଶ୍ରୀଜିଉ ନଥିଲେ ବି ରାଧାକୃଷ୍ଣଙ୍କ ମୂର୍ତ୍ତି ରଖି ଅଦିନରେ ନନ୍ଦିଘୋଷ ରଥ ଗଡ଼ିବା ଓ ଇସ୍କନର ଏଭଳି ମନୋଭାବକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ଇସ୍କନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।