ପୁରୀ: ପୁଣି ଥରେ ଶ୍ରୀମନ୍ଦିରରେ ଭିତରକୁ ଅଣହିନ୍ଦୁ ମହିଳା ପ୍ରବେଶ କରିଥିବା ଜଣାପଡ଼ିଛି । ମହିଳ ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବାରୁ ସେ ବିଦେଶୀ ବୋଲି ଅନୁମାନ କରାଯାଉଛି ।
ଅଣ ହିନ୍ଦୁ ମହିଳା ଜଣକ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଗୁମୁଟ ପର୍ୟ୍ୟନ୍ତ ଯାଇଥିଲେ । ସେଠାରେ ତାଙ୍କୁ ଜଗନ୍ନାଥ ଟେମ୍ପୁଲ ପୁଲିସ୍ ଅଟକାଇ ଥିଲେ । ମନ୍ଦିରରୁ ବାହାରକୁ ଆଣିବା ବେଳେ ସେ ପୁଲିସ ସହିତ ଯୁକ୍ତି ତର୍କ କରିଥିଲେ । ଅସ୍ଥାୟୀ ଆଉଟ୍ ପୋଷ୍ଟକୁ ନିଆଯାଇ ପଚରାଉଚରା କରାଯିବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।
ତେବେ ମନ୍ଦିରରେ କଡ଼ା ସୁରକ୍ଷା ସତ୍ତ୍ୱେ ମହିଳା ଜଣକ କିପରି ପ୍ରବେଶ କଲେ ସେ ନେଇ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ପଞ୍ଚୁକ ବ୍ରତ ପାଇଁ ମନ୍ଦିରରେ ଆଜି ପ୍ରବଳ ଭିଡ଼ ହୋଇଛି । ଭିଡ଼ର ସୁଯୋଗ ନେଇ ସେ ମନ୍ଦିର ଭିତରକୁ ପଶିଯାଇଥିବା ସନ୍ଦେହ କରାଯାଉଛି ।
ଆଗରୁ ମଧ୍ୟ ଅନେକ ଥର ଅଣ ହିନ୍ଦୁ ପ୍ରବେଶ କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ୪ ତାରିଖରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ସହିତ ୪ ଜଣ ବାଂଲାଦେଶୀ ଶ୍ରୀମନ୍ଦିର ଭିତରେ ପଶିଥିଲେ । ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥିଲେ । ଯାହାକୁ ନେଇ ଅନେକ ତୁମ୍ବି ତୋଫାନ ହୋଇଥିଲା । ସେହିପରି ମାର୍ଚ୍ଚ ୨୩ ତାରିଖରେ ଆଉ ଜଣେ ବିଦେଶୀନି ମନ୍ଦିରରେ ପ୍ରବେଶ କରିଥିଲେ । ବାଇଶି ପାହାଚ ନିକଟରେ ଜଣେ ସେବାୟତ ତାଙ୍କୁ ଧରିଥିଲେ ।