ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। ଝାଡ଼ଖଣ୍ଡର ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାର ୪୩ଟି ଆସନ ପାଇଁ ମତଦାନ ଜାରି ରହିଛି। ଏହା ସହିତ ୧୧ଟି ରାଜ୍ୟର ୩୩ଟି ବିଧାନସଭା ଆସନ ଏବଂ ନାନ୍ଦେଡ ଓ ୱାୟନାଡର ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେଉଛି। ଏଥି ପାଇଁ ମତଦାତାମାନେ ଧାଡ଼ିରେ ରହି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଉଛନ୍ତି।
ନିର୍ବାଚନ କମିସନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜସ୍ଥାନର ୭ଟି ଆସନ- ଝୁନଝୁନୁ, ରାମଗଡ଼, ଦୌସା, ଦେଓଲି ଉନିଆରା, ସାଲୁମ୍ବର, ଚୌରାସୀ ଓ ଖିନବସାରରେ ମତଦାନ ଜାରି ରହିଛି। ବିହାରର ୪ଟି ଆସନ- ରାମଗଡ଼, ବେଲାଗଞ୍ଜ, ଇମାମଗଞ୍ଜ ଓ ତାରୀରେ ମଧ୍ୟ ଭୋଟ୍ ଜାରି ରହିଛି।
ସେହିପରି ମଧ୍ୟପ୍ରଦେଶର ୨ଟି ଆସନ (ବୁଦ୍ଧନି ଓ ବିଜୟପୁର), ଛତିଶଗଡ଼ର ରାୟପୁର (ଦକ୍ଷିଣ) ପଶ୍ଚିମବଙ୍ଗର ୬ଟି ଆସନ- ସୀତାଇ, ମେଦିନୀପୁର, ନାଇହାଟି, ହାରୋଆ, ତାଲଡଙ୍ଗରା ଓ ମଦରିହାଟ, ଆସାମର ୫ଟି ଆସନରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଆସାମର ଧୋଲାଇ, ସମଗୁଡ଼ି, ବଙ୍ଗାଇଗାଓଁ ଓ ସିଡଲି ଥିବା ବେଳେ କର୍ଣ୍ଣାଟକର ଚନ୍ନାପାଟଣା, ଶିଗଗାଓଁ, ସାନ୍ଦୁର (କର୍ଣ୍ଣାଟକ), ସିକିମର ସୋରେଙ୍ଗ ଚାକୁଙ୍ଗ ଓ ନାମଚି ସିଂହିଥାଙ୍ଗରେ ମଧ୍ୟ ମତଦାନ ଜାରି ରହିଛି। ସେହିପରି ଗୁଜରାଟର) ବାଭ୍, କେରଳର ଚେଲକରା ଏବଂ ମେଘାଳୟର ଗମ୍ବରଗରରେ ମତଦାନ ଚାଲିଛି। ଏହାବ୍ୟତୀତ ନାନ୍ଦେଦ ଏବଂ ୱାୟନାଡ ଲୋକସଭା ଆସନରେ ମଧ୍ୟ ମତଦାନ ହେଉଛି। ନଭେମ୍ବର ୨୩ରେ ମହାରାଷ୍ଟ୍ର, ଝାଡ଼ଖଣ୍ଡ ସହ ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବ।
ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି