ନୂଆଦିଲ୍ଲୀ: ଓଡ଼ିଶାରେ ଆୟୋଜିତ ହେବ ପ୍ରବାସୀ ଭାରତୀୟ ଦିବସ ଉତ୍ସବ । ଏ ନେଇ ଦିଲ୍ଲାରେ ବୈଦେଶିକ ମନ୍ତ୍ରାଣାଳୟ ପକ୍ଷରୁ ୱେବସାଇଟ୍ ଲଞ୍ଚ କରାଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଳିତ ଭାବେ ଏକ ସ୍ୱତନ୍ତ୍ର ଉତ୍ସବରେ ୱେବସାଇଟକୁ ଲଞ୍ଚ କରିଛନ୍ତି । ଓଡ଼ିଶାକୁ ଏକ ସହଯୋଗୀ ରାଜ୍ୟ ଭାବେ ଚୟନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଆସନ୍ତା ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ୧୮ତମ ସଂସ୍କରଣ ଉତ୍ସବ ଅନୁଷ୍ଠିତ ହେବ । ଜନତା ମଇଦାନରେ ପ୍ରାୟ ୭ ହଜାର ଅତିଥି ଯୋଗ ଦେବେ । ଏଥିରେ ଯୋଗ ଦେବାକୁ ଚାହୁଁଥିବା ପ୍ରବାସୀ ଭାରତୀୟମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ୱେବସାଇଟରେ ପଞ୍ଜିକରଣ କରିପାରିବେ । ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସ୍ ଜୟଶଙ୍କର ।
ତେବେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଓଡ଼ିଶା ସରକାର । ଏହି ସମ୍ମିଳନୀରୁ ଓଡ଼ିଶାକୁ ଅନେକ ଫାଇଦା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ସମ୍ପାଦନ କରିବାକୁ ସରକାର ସମସ୍ତ ପ୍ରକାର ପ୍ରୟାସ କରିବେ । ସୁରକ୍ଷାଠୁ ନେଇ ପ୍ରୋଟୋକଲ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ସମସ୍ତ ବ୍ୟବସ୍ଥା ଓଡ଼ିଶା ସୁଚାରୁରୂପେ ଆୟୋଜନ କରିବ । ପାଖାପାଖି ୭୦୦୦ ଅତିଥିଙ୍କୁ ଆତିଥ୍ୟ ପ୍ରଦାନ କରିବାକୁ ଓଡ଼ିଶା ପ୍ରସ୍ତୁତ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ସମାରୋହରେ ଓଡ଼ିଶାର ଉଚ୍ଚ କୋଟିର କଳା ସଂସ୍କୃତି ପ୍ରଦର୍ଶନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ, ରାଜାରାଣୀ ଏବଂ ମୁକ୍ତେଶ୍ଵର ନୃତ୍ୟତ୍ସୋବ ସହ ଫୁଲ ପ୍ରଦର୍ଶନୀର ଆୟୋଜନ କରାଯିବ । ସେହିପରି ରାମାୟଣ କଥା ବସ୍ତୁକୁ ନେଇ ପ୍ରଦର୍ଶନୀ ମଧ୍ୟ କରାଯିବ । ସମସ୍ତଙ୍କୁ ଓଡ଼ିଶାକୁ ଆସିବାକୁ ସ୍ୱାଗତ କରୁଛି ବୋଲି ସେ କହିଛନ୍ତି ।