କଟକ: ଦୁଇ ଦିନ ହେବ ନିଖୋଜ ଥିବା ଜଣେ ନାବାଳକ ଛାତ୍ରଙ୍କ ମୃତ ଦେହ ମହାନଦୀ ପଠାରୁ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣକ ମଙ୍ଗଳାବାଗ ଅଞ୍ଚଳରେ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢନ୍ତି ବୋଲି ଜଣାପଡ଼ିଛି ।
ଗତକାଲି ଛାତ୍ର ଜଣକ ସାଇକେଲ ନେଇ ଘରୁ ବାହାରି ଆସିଥିଲେ । ହେଲେ ଆଉ ଘରକୁ ଫେରି ନ ଥିଲେ କିମ୍ବା ସ୍କୁଲରେ ମଧ୍ୟ ନ ଥିଲେ । ପରିବାର ଲୋକ ବହୁତ ଖୋଜା ଖୋଜି କରିବା ପରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ । ରାତିରେ ମଧ୍ୟ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । ମାତ୍ର ଛାତ୍ର ଜଣଙ୍କର କୌଣସି ସନ୍ଧାନ ମିଳି ନ ଥିଲା ।
ମାତ୍ର ଆଜି କାଳିଆବୁଦା ନିକଟ ମହାନଦୀ ପଠାରେ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏ ନେଇ ପୁଲିସକୁ ଜଣାଇଥିଲେ । ତେବେ ପରିବାର ଲୋକ ଏବଂ ପୁଲିସ ନଦୀ ପଠାରେ ପହଁଚି ଛାତ୍ରଟିକୁ ଚିହ୍ନଟ କରିଛନ୍ତି । କିପରି ଅବସ୍ଥାରେ ଛାତ୍ର ଜଣକ ସେଠାକୁ ଗଲେ, ତାଙ୍କୁ କିଏ ହତ୍ୟା କରିଛି ନା ମୃତ୍ୟୁର କାରଣ ଆଉ କିଛି ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।