ନୂଆଦିଲ୍ଲୀ/ଭୁବନେଶ୍ୱର: ଶିଳ୍ପ ବିପ୍ଳବ ୪.୦ ଆମର ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱମାନର କରିବା ପାଇଁ ଏକ ବଡ ସୁଯୋଗ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଆମକୁ ଅଭିନବ ମଡେଲ ମାଧ୍ୟମରେ ବିଶ୍ୱ ବିଦ୍ୟାଳୟକୁ ମଜଭୁତ କରିବାକୁ ହେବ । ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଏକ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆଦିଲ୍ଲୀଠାରେ ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କର୍ମଶାଳାରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିଛନ୍ତି ।
ଏକାଡେମିକ୍ ଲିଡର୍ ଓ ପ୍ରଶାସକମାନଙ୍କ ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଅଭିନବ ପାଣ୍ଠି ମାଧ୍ୟମରେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସୁଦୃଢ଼ କରିବା, ଶିଳ୍ପର ଚାହିଦା ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆବଶ୍ୟକତା ଏବଂ ଆକାଂକ୍ଷା ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ କରିବା ସହ ଥିଙ୍କ୍ ଟ୍ୟାଙ୍କ ସ୍ଥାପନ କରିବା । ଅନୁରୂପ ଭାବରେ ବୈଷୟିକ ସମସ୍ୟାର ସମାଧାନରେ ନେତୃତ୍ୱ ନେବା ପାଇଁ ଗବେଷଣା ଏବଂ ନବସୃଜନ ପାଇଁ ଏକ ବହୁବିଭାଗୀୟ ଆଭିମୁଖ୍ୟ ଗ୍ରହଣ କରିବା; ପ୍ରତିଷ୍ଠିତ କେନ୍ଦ୍ର ଓ ରାଜ୍ୟର ଅନୁଷ୍ଠାନଗୁଡ଼ିକ ସହିତ ସହଯୋଗ ମାଧ୍ୟମରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକାଡେମିକ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ କ୍ରୀଡ଼ା, ବକ୍ତୃତା, କବିତା, ନାଟକ, କଳା ମାଧ୍ୟମରେ କ୍ୟାମ୍ପସର ଜୀବନ୍ତତାକୁ ପୁନରୁଦ୍ଧାର କରିବା ଏବଂ ଏହି ଅଣ-ଶିକ୍ଷାଗତ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବାକୁ ହେବ । ସେ ଭାରତୀୟ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଏହି ଦୁଇ ଦିନିଆ କର୍ମଶାଳାରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା- ଆହ୍ୱାନ ଏବଂ ରୋଡମ୍ୟାପ୍ ବିଷୟବସ୍ତୁ ଉପରେ ୧୪ଟି ବୈଷୟିକ ଅଧିବେଶନ ; ଶିକ୍ଷାରେ ବୈଷୟିକ ଜ୍ଞାନକୌଶଳ; ଶିକ୍ଷା କ୍ଷେତ୍ରରେ ସହଯୋଗ; ଡିଜିଟାଲ ଶାସନ; ଦକ୍ଷତା ବିକାଶ ଏବଂ ନେତୃତ୍ୱ; ଏବଂ ଉଚ୍ଚଶିକ୍ଷାର ଅର୍ଥ ଯୋଗାଣ ବିଶିଷ୍ଟ ପ୍ୟାନେଲିଷ୍ଟଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଯାଉଛି ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାରଙ୍କ ସମେତ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ସଚିବ, ଅତିରିକ୍ତ ଶାସନ ସଚିବ, ୟୁଜିସିର ଅଧ୍ୟକ୍ଷ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ, ଶିକ୍ଷାବିତ୍, ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।