ପୁରୀ: ଆସନ୍ତାକାଲି ପବିତ୍ର ଅଁଳା ନବମୀ। ପୁରୀର ପ୍ରସିଦ୍ଧ ସାକ୍ଷୀଗୋପାଳ ଗୋପୀନାଥ ଜିଉ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ପ୍ରବଳ ଭିଡ଼ ହେବ। ବର୍ଷକରେ ଥରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି, ତେଣୁ ମା'ଙ୍କ ପାଦ ସ୍ପର୍ଶ ପାଇଁ ବ୍ୟାପକ ଭିଡ ହେବ। ଆଜି ରାତି ୧ଟାରୁ ମନ୍ଦିର ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। କାଲି ସକାଳ ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।
ଆସନ୍ତା କାଲି ପ୍ରାୟ ୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି। ଏହି ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରା ସୁପରିଚାଳନା ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚସଖା ସ୍ମୃତି ଭବନରେ ସୋମବାର ୨ୟ ସମ୍ମନ୍ବୟ ବୈଠକ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଭାଗ ପକ୍ଷରୁ ଭକ୍ତମାନଙ୍କ ଆବଶ୍ୟକ ସୁବିଧା ନିମନ୍ତେ ହାତକୁ ନିଆଯାଇଥିବା ଉନ୍ନୟନ କାମର ସମୀକ୍ଷା କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟତଃ ପରସ୍ପର ସମ୍ମନ୍ବୟ ରକ୍ଷା ଦିଗରେ ଯତ୍ନବାନ ହେବାକୁ ଜିଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ପୁରୀ ଏସପି ପ୍ରତୀକ ସିଂହ ଯୋଗଦେଇ ସୁରକ୍ଷା ସହିତ ଶୃଙ୍ଖଳିତ ଦର୍ଶନ ପ୍ରତି ଗୁରୁତ୍ୱ ଆରୋପ କରିଥିଲେ। ପାର୍କିଂ ଓ ଗମନାଗମନ ନେଇ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସଠିକ ସୂଚନା ପ୍ରଦାନ କରାଯିବ ବୋଲି ଏସପି କହିଛନ୍ତି। ମୁଖ୍ୟ ଅତିଥି ଭାବରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗଦେଇ ଚଳିତ ବର୍ଷ ରାଧାପାଦ ଦର୍ଶନ ଏକ ନିଆରା ଢଙ୍ଗରେ ଆୟୋଜନ କରାଯାଇଛି ବୋଲି କହିଛନ୍ତି। ରାଧାପାଦ ଦର୍ଶନ ପାଇଁ ଆସୁଥିବା ସାଧାରଣ ଶ୍ରଦ୍ଧାଳୁ ଯେପରି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବିଧାୟକ ବୈଠକରେ ସୂଚନା ଦେଇଛନ୍ତି।