ଫୁଲବାଣୀ : ପିନ୍ ଗିଳି ଛାତ୍ର ମୃତ୍ୟୁ ଘଟଣାରେ ଆସିଲା ସାଂଘାତିକ କଥା। ଘଟଣା ବାବଦରେ ଜାଣିଥିଲେ ସ୍କୁଲର ଓଡ଼ିଆ ଶିକ୍ଷୟତ୍ରୀ। ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ୍ କୁମାର ସ୍ବାଇଁ ଘଟଣାର ପ୍ରାଥମିକ ତଦନ୍ତ କରିବା ବେଳେ ଏହା ଜଣା ପଡିଛି। ପ୍ରିନ୍ସିପାଲ ଓ ଅନ୍ୟ ମାନଙ୍କୁ ପଚାରି ବୁଝିଛନ୍ତି ଡିଇଓ। ତେବେ ପିନ୍ ଗିଳି ଥିବା ସମ୍ପର୍କରେ ଜାଣିଛନ୍ତି ସ୍କୁଲ ର ଓଡ଼ିଆ ଶିକ୍ଷୟତ୍ରୀ। ଘଟଣାର ବିଧିବଧ ତଦନ୍ତ ହେବ ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି।
ସୂଚନାଯୋଗ୍ୟ ଫୁଲବାଣୀ ଆଦର୍ଶ ସ୍କୁଲ ଛାତ୍ର ତୁଷାର ମିଶ୍ର ମୃତ। ୧୨ ଦିନ କାଳ ଜୀବନ ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଅକ୍ଟୋବର ମାସ ପନ୍ଦର ତାରିଖରେ ସ୍କୁଲ ବ୍ଲାକ୍ ବୋର୍ଡ ରେ ଲାଗିଥିଲା ପିନକୁ ଅସାବଧାନତା ବଶତଃ ଦାନ୍ତ ଖୋଳୁ ଖୋଳୁ ଗିଳି ଦେଇଥିଲେ ଛାତ୍ର । ଏନେଇ ତୁଷାର ଓ କିଛି ସାଙ୍ଗମାନେ ଆଦର୍ଶ ବିଦ୍ୟାଳୟର ଓଡ଼ିଆ ଶିକ୍ଷୟତ୍ରୀ ଙ୍କୁ ଜଣାଇଥିଲେ। କିନ୍ତୁ ସାର୍ ମାଡ଼ାମ୍ ଏହାକୁ ଗୁରୁତ୍ବ ଦେଲେ ନାହିଁ । କିଛି ଲକ୍ଷଣ ଦେଖା ଯାଉ ନ ଥିଲା ବୋଲି ଶିକ୍ଷୟତ୍ରୀ କହିଥିବା ବେଳେ। ମୃତ୍ୟୁର ପୂର୍ବ ଦିନ ଏକଥା ଜାଣିଲି ବୋଲି ପ୍ରିଂଶିପାଲ କହିଛନ୍ତି।
ସ୍କୁଲରୁ ଫେରିବା ପରେ ତୁଷାରଙ୍କୁ ଫୁଲବାଣୀ ମେଡିକାଲ ନେଇଥିଲେ ପରିବାର ଲୋକେ। ଫୁଲବାଣୀରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ରେଫର୍ କରିଥିଲେ ଡାକ୍ତର। ସେଠାରୁ ପୁଣି କଟକ ଶିଶୁ ଭବନ ରେଫର କରିଥିଲେ। ପିନ୍ ଟି ଫୁସ୍ଫୁସ୍ ରେ ଅଟକି ରହିଥିବାରୁ ସେଠାରେ ଅସ୍ତ୍ରୋପଚାର କରାଯାଇ ପିନ୍ ବାହାର କରାଯାଇଥିଲା। ବିଳମ୍ବ ଯୋଗୁଁ ଛାତ୍ର ଜଣକ ପ୍ରଥମେ ପକ୍ଷାଘାତ ଓ ପରେ କୋମାକୁ ଚାଲିଯାଇଥିଲେ । ସ୍ବତନ୍ତ୍ର ଡ଼ାକ୍ତରୀଦଳ ଚିକିତ୍ସା କରିଥିଲେ ମଧ୍ୟ ୨୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତୁଷାରଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ ।
ତୁଷାରଙ୍କ ଘର ଦାରିଙ୍ଗବାଡ଼ିରେ । ସେ ମାଷ୍ଟରପଡ଼ାରେ ତାଙ୍କ ଅଜା ଆଈ ମାମୁଁଙ୍କ ଘରେ ରହି ଫୁଲବାଣୀରୁ ମାତ୍ର ସାତ କିଲୋମିଟର ଦୂର ଧୋବାତୋଟା ଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିଲେ ।
ପରିବାର ଲୋକଙ୍କ ଅଭିଯୋଗ ପ୍ରାୟତଃ ସତ ହୋଇଛି। ବିଦ୍ଯାଳୟ କତ୍ତୃପକ୍ଷଙ୍କ ଅବହେଳା ନେଇଛି ଛାତ୍ର ଜୀବନ। ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ବ ଦେଇଥିଲେ ତୁଷାରର ଜୀବନ ବଞ୍ଚିଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି। ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।