ନୂଆପଡା : ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡ଼ା । ଆଜିଠାରୁ ଆରମ୍ଭ ହୋଇଛି ହୋମ୍ ଭୋଟିଂ । ଭୋଟ୍ ଦେଇଛନ୍ତି ଘରେ ଥିବା ବୟସ୍କ ଭୋଟର । ୨ ତାରିଖ ଯାଏଁ ଚାଲିବ ଏହି ହୋମ୍ ଭୋଟିଂ । ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ୩୫୮ ଟି ବୁଥ ପାଇଁ ଭୋଟିଂ ମେସିନ ଓ ଭିଭିପାଟର କମିସନିଂ ଶେଷ ହୋଇଛି । ସ୍ଥାନୀୟ ନେସନାଲ କଲେଜରେ ଏଥିପାଇଁ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପ୍ରକ୍ରିୟା ଚାଲିଥିଲା ।ଏହା ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
ଆଜିଠାରୁ ହୋମ୍ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚିତ ମଣ୍ଡଳୀର ୨୫୧ ଜଣ ବୟସ୍କ ଭୋଟର ଘରେ ଭୋଟ୍ ଦେବେ । ଏଥିପାଇଁ ୧୫ ଟି ପୋଲିଂ ଦଳ ନିଯୁକ୍ତ ହୋଇଛନ୍ତି । ପ୍ରତି ଦଳରେ ଦୁଇ ଜଣ ପୋଲିଂ ଅଫିସର୍, ଜଣେ ମାଇକ୍ରୋ ନିରୀକ୍ଷକ, ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଭିଡିଓଗ୍ରାଫର ରହିଛନ୍ତି ।
ନିୟମ ଅନୁଯାୟୀ ୮୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମତଦାତା ୨୫୧ ଜଣ ଭୋଟର ଏହି ପ୍ରକ୍ରିୟାରେ ନିଜ ଘରେ ଥାଇ ଗୋପନୀୟ ଭାବରେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଏହି ଭୋଟ ଦେବେ । ୩୦ ଅକ୍ଟୋବର ରୁ ୨ ନଭେମ୍ବର ଭିତରେ ଏହି ହୋମ୍ ଭୋଟିଂ ହେବ । ସ୍ୱଚ୍ଛତା ପାଇଁ ଏହି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର କହିଛନ୍ତି । ଏହି ସୁବିଧାରୁ କେହି ଜଣେ ବି ଯୋଗ୍ୟ ମତଦାତା ଯେପରି ବଞ୍ଚିତ ନ ହୁଅନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।