ପାଟନା: ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମତଦାନକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । କିନ୍ତୁ ତା ପୂର୍ବରୁ ଦେଖିବାକୁ ମିଳିଛି ଭୟଙ୍କର ରାଜନୈତିକ ହିଂସା । ନିର୍ବାଚନରେ ଗଡ଼ିଛି ନେତାଙ୍କ ମୁଣ୍ଡ । ମୋକାମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜନ ସୁରାଜ ପାର୍ଟିର ବରିଷ୍ଠ ନେତା ଦୁଲାରଚନ୍ଦ ଯାଦବଙ୍କୁ ଅତି ଜଘନ୍ୟଭାବେ ହତ୍ୟା କରାଯାଇଛି । ପ୍ରଥମେ ଗୁଳି ଏବଂ ପରେ ଗାଡ଼ି ଚଢ଼ାଇ ଦେବା ଭଳି ଅଭିଯୋଗ ଆସିଛି । ଏପୁଣି କେଉଁ ନିକାଞ୍ଚନ ଅଞ୍ଚଳ ନୁହେଁ , ବରଂ ପ୍ରଚାର ମଇଦାନ ଉପରେ ହତ୍ୟା ହୋଇଛି ।
ଗୁରୁବାର ସନ୍ଧ୍ୟାରେ ଦୁଲାରଚନ୍ଦ ଯାଦବ ମୋକାମା ଆସନରୁ ଲଢ଼ୁଥିବା ଜନ ସୁରାଜ ଦଳ ପ୍ରାର୍ଥୀ ପୀୟୁଷ ପ୍ରିୟଦର୍ଶୀଙ୍କ ପାଇଁ ବସାବନଚକ ଗାଁରେ ପ୍ରଚାର କରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି କରିବା ସହିତ ଗାଡ଼ି ଚଢ଼ାଇ ଦେଇଥିଲେ । ଯାହା ଫଳରେ ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଗାଡ଼ିରେ ଅନେକ ଗୁଳି ଚିହ୍ନ ମଧ୍ୟ ମିଳିଥିଲା। ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯିବାରୁ ପାଟନା ଏଏସ୍ପି, ଡିଏସ୍ପି ଏବଂ ବିଭିନ୍ନ ଥାନାର ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଗାଁରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ମୃତକଙ୍କ ପରିବାର ହତ୍ୟା ପାଇଁ ଜେଡିୟୁ ପ୍ରାର୍ଥୀ ତଥା ଅନନ୍ତ ସିଂହଙ୍କୁ ଦାୟୀ କରିଛନ୍ତି। ଜନ ସୁରାଜ ଦଳ ପ୍ରାର୍ଥୀ ପୀୟୁଷ ପ୍ରିୟଦର୍ଶୀ ମଧ୍ୟ ସୋସିଆଲ ମିଡ଼ିଆରେ ସମାନ ଅଭିଯୋଗ ଆଣିଛନ୍ତି । ଦୁଲାରଚନ୍ଦଙ୍କ ସହିତ ଯାହା ହୋଇଛି, ତାହାର ଯବାବ ଦିଆଯିବ ବୋଲି କହିଛନ୍ତି ।
ମୋକମା ଆସନ ସବୁବେଳେ ଚର୍ଚ୍ଚାରେ ରହିଛି । ସେଠାରୁ ବାହୁବଳୀ ଜେଡିୟୁ ନେତା ଅନନ୍ତ କୁମାର ସିଂହ ଲଢ଼ୁଥିବାବେଳେ ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରୁଛନ୍ତି ମହାମେଣ୍ଟର ଦ୍ୱିତୀୟ ବାହୁବଳୀ ନେତା ସୁରଜଭାନ ସିଂହ ସ୍ତ୍ରୀ ବୀଣା ଦେବୀ ଏବଂ ଜନ ସୁରାଜର ପୀୟୁଷ ପ୍ରିୟଦର୍ଶୀ ।