ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ଏ ପର୍ଯ୍ୟନ୍ତ ଗୋଟିଏ ପ୍ରଚଳନ ଚାଲି ଆସିଛି । ମ୍ୟାଚର ପ୍ରଥମ ଦିନ ସକାଳେ ଟସ୍ ପଡିଥାଏ । ଦୁଇ ଘଣ୍ଟାର ଖେଳ ପରେ ୪୦ ମିନିଟର ବ୍ରେକ ହୋଇଥାଏ । ଏହାକୁ ଲଞ୍ଚ କୁହାଯାଏ । ମ୍ୟାଚ୍ ପୁଣି ଥରେ ଆରମ୍ଭ ହୋଇ ଦୁଇ ଘଣ୍ଟା ପରେ ଟି ବ୍ରେକ ହୋଇଥାଏ । ୨୦ ମିନିଟର ଟି ବ୍ରେକ ପରେ ଆଉ ଦୁଇ ଘଣ୍ଟା ଖେଳାଯାଏ । ଏଥିସହ ଦିନର ଖେଳ ସଂପନ୍ନ ହୋଇଥାଏ । କିନ୍ତୁ ଏବେ ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି । ଭାରତ ବନାମ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଏହି ପରମ୍ପରା ବଦଳିବା ଦେଖିବାକୁ ମିଳିପାରେ । ଲଞ୍ଚ ପୂର୍ବରୁ ଟି ବ୍ରେକ ଓ ଟି ବ୍ରେକ ଜାଗାରେ ଲଞ୍ଚ ବ୍ରେକ ହେବ ।
ଇଣ୍ଡିଆନ୍ସ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଗୌହାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ନଭେମ୍ବର ୨୨ରୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ଲଞ୍ଚ ବ୍ରେକ ଜାଗାରେ ଟି ବ୍ରେକ ଓ ଟି ବ୍ରେକ ଜାଗାରେ ଲଞ୍ଚ ବ୍ରେକ ଦେଖିବାକୁ ମିଳିବାର ପୂରା ସମ୍ଭାବନା ରହିଛି । ଏହାର କାରଣ ଭାରତର ପୂର୍ବ ଭାଗରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଶୀଘ୍ର ହୋଇଥାଏ । ମ୍ୟାଚର ସମୟ ଏବେ ସାଢେ ୯ଟା ଥିବା ବେଳେ ଏହା ୯ଟା କରାଯାଇପାରେ ।
ବରସାପରା କ୍ରିକେଟ୍ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚର ଟାଇମିଂ କିଛି ଏମିତି ହୋଇପାରେ । ଯେଉଁଥିରେ ୯ରୁ ୧୧ଟା ଯାଏଁ ପ୍ରଥମ ସେସନ । ୧୧ଟାରୁ ୧୧ଟା ୨୦ ପର୍ଯ୍ୟନ୍ତ ଟି ବ୍ରେକ । ଏହା ପରେ ୧ଟା ୨୦ ପର୍ଯ୍ୟନ୍ତ ଦ୍ୱିତୀୟ ସେସନ ଖେଳାଯିବ । ପୁଣି ୪୦ ମିନିଟ୍ ଲଞ୍ଚ ବ୍ରେକ ହେବ । ଏହା ପରେ ୨ଟାରୁ ୪ଟା ପର୍ଯ୍ୟନ୍ତ ତୃତୀୟ ସେସନ ଖେଳାଯିବ । ବୋର୍ଡର ସୂତ୍ର ଅନୁଯାୟୀ, ଟି ବ୍ରେକ ଶୀଘ୍ର କରାଯିବାର କାରଣ ଗୌହାଟୀରେ ସୂର୍ଯ୍ୟାସ୍ତ ଶୀଘ୍ର ହୋଇଥାଏ । ଖେଳ ବି ଶୀଘ୍ର ଆରମ୍ଭ ହୋଇଥାଏ । ପ୍ରଥମ ଥର ଟେଷ୍ଟ କ୍ରିକେଟରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ ।
Also read: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରେୟସ; ମ୍ୟାଚ ବେଳେ ଅସୁସ୍ଥ ହୋଇ ଥିଲେ ଆଇସିୟୁରେ