ଭୁବନେଶ୍ୱର: ଗୋଟିଏ ଦିନର ଉପବାସ ପରେ ଶେଷରେ ଗୁରୁବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି । ଆଜି ସକାଳୁ ଅବକାଶ ନୀତି ସମ୍ପନ୍ନ ହୋଇଥିବାବେଳେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ବିବାଦର ଯଦି ସମାଧାନ ନ ହୁଏ ତେବେ ନୀତି ବନ୍ଦ କରିବାକୁ ବ୍ରାହ୍ମଣ ନିଯୋଗ ଚେତାବନୀ ଦେଇଛି ।
ବୁଧବାର ସକାଳେ ସ୍ୱାଭାବିକ ଭାବେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ୱାରଫିଟା ଓ ସୂର୍ଯ୍ୟପୂଜା ହୋଇଥିଲା । ସମର୍ଥା ନିଯୋଗ ସେବାୟତଙ୍କ ପାଳି ଥିଲା । କିନ୍ତୁ ସମର୍ଥା ନିଯୋଗର ଉପଯୁକ୍ତ ଉତ୍ତରାଧିକାରୀ ଥିବାରୁ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ସୂର୍ଯ୍ୟପୂଜା ପରେ ଦ୍ୱାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ ରହିଥିଲା । ଫଳରେ ପ୍ରଭୁ ଲିଙ୍ଗରାଜଙ୍କୁ ଖାଡା ଉପବାସରେ ରହିବାକୁ ପଡିଥିଲା ।
ଏପରିକି ମହାପ୍ରଭୁଙ୍କଠାରେ ଭୋଗ ଲାଗି ହୋଇ ନ ଥିବାରୁ ହଜାର ହଜାର ହବିଷ୍ୟାଳି ଓ ଭକ୍ତ ପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ । ଏମିତି ପରିସ୍ଥିତି ପାଇଁ ସେବକମାନେ ମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି । ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ସେବାୟତଙ୍କ ଉତ୍ତରାଧିକାରୀ ନ ଥିବାରୁ ତାଙ୍କ ସେବା କିଏ କରିବ ତାହା ପ୍ରଶାସନ ସ୍ଥିର କରି ପାରୁନି । ଫଳରେ ଏମିତି ଅବସ୍ଥା ଦେଖା ଦେଇଛି ।
ଏହା ପୂର୍ବରୁ ଚଳିତ ବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶିବ ପବିତ୍ରାରୋପଣ ନୀତ ବନ୍ଦ ରହିଥିଲା । ଫଳରେ ମହାପ୍ରଭୁ ପଇତାଲାଗି ହୋଇ ପାରି ନ ଥିଲା । ରକ୍ଷାବନ୍ଧନରେ ପ୍ରଭୁ ପଇତା ପିନ୍ଧି ପାରି ନଥିଲେ । ପ୍ରାୟ ୫ବର୍ଷ ହେଲା ଲାଗି ରହିଥିବା ସେବାୟତଙ୍କ ବିବାଦର ସମାଧାନ ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜିଥିଲା।