ଫୁଲବାଣୀ: ଫୁଲବାଣୀ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଛାତ୍ର ପିନ୍ କଣ୍ଟା ଗିଳି ଦେବା ପରେ ତାର ମୃତ୍ୟୁ ହୋଇଛି । ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି । ମୃତ ଛାତ୍ର ଜଣକ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି କାଳୀପ୍ରସାଦ ମିଶ୍ର ଓ ତଟିନୀ ମିଶ୍ରଙ୍କ ପୁଅ ତୁଷାର ମିଶ୍ର । ସେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ । 
ସୂଚନା ମୁତାବକ, ତୁଷାରଙ୍କ ଘର ଦାରିଙ୍ଗବାଡ଼ିରେ ହୋଇଥିବାବେଳେ ସେ ଫୁଲବାଣୀରେ ମାମୁଁ ଘରେ ରହି ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଗତ ୧୫ ତାରିଖରେ ସ୍କୁଲରେ ଏକ ନୋଟିସ୍ ବୋର୍ଡରେ ଲାଗିଥିବା ଥିବା ପିନକୁ ଗିଳି ଦେଇଥିଲେ । ସ୍କୁଲ ଛୁଟି ହେବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏକ୍ସରେ ତାଙ୍କ ଫୁସଫୁସରେ ପିନ୍ ଅଟକି ଥିବା ଜଣାପଡ଼ିବା ପରେ ଅସ୍ତ୍ରୋପଚାର କରାଯାଇ ପିନକୁ ବାହାର କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଆହୁରି ସଙ୍ଗୀନ ହୋଇପଡ଼ିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ତାଙ୍କର ମୃତ୍ୟୁ ହୋଇଛି । 
ଏଥିପାଇଁ ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ତାଙ୍କ ଅଭିଭାବକଙ୍କ କହିବା ମୁତାବକ, ପିନ୍ ଗିଳି ଦେଇଥିବା ନେଇ ଶିକ୍ଷକଙ୍କୁ ଜଣାଇଥିଲେ । କିନ୍ତୁ ଶିକ୍ଷକ ତୁରନ୍ତ କୌଣସି ପଦକ୍ଷେପ ନେଇ ନ ଥିଲେ । ଓଲଟା ଭାତ ଖାଇ ପାଣି ପିଇଦେବାକୁ ପରାମର୍ଶ ଦେଇଥିଲେ । ତୁଷାର ଶିକ୍ଷକଙ୍କ କଥାକୁ ମାନି ପାଣି ପିଇଦେଇଥିଲେ । । ଫଳରେ ପିନ୍ ଖାଦ୍ୟ ନଳୀ ବଦଳରେ ଫୁସଫୁସକୁ ଚାଲିଯାଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇଥିଲେ ଏଭଳି ହୋଇନଥାନ୍ତା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।