ନୂଆଦିଲ୍ଲୀ: ଭାରତକୁ ଏକ ବଡ କୂଟନୈତିକ ସଫଳତା ମିଳିଛି । ଆମେରିକା ଇରାନ ସ୍ଥିତ ଚାବହାର ପୋର୍ଟ ପ୍ରକଳ୍ପ ପାଇଁ କଟକଣା ଉପରେ କୋହଳ ଦେବା ଅବଧିକୁ ୨୦୨୬ ଏପ୍ରିଲ ପର୍ଯ୍ୟନ୍ତ ବଢାଇଛି । ଏଥିରେ ଭାରତକୁ ମଧ୍ୟଏସିଆ ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ ନିଜର ଯୋଗାଯୋଗ ପ୍ରକଳ୍ପକୁ ଜାରି ରଖିବାରେ ବଡ ଆଶ୍ୱସ୍ତି ମିଳିବ ।
ଏହି କୋହଳ ପ୍ରଥମ ଥର ୨୦୧୮ରେ ଇରାନ ଫ୍ରିଡମ ଆଣ୍ଡ କାଉଣ୍ଟର-ପ୍ରୋଲିଫରେଶନ ଆକ୍ଟ(ଆଇଏଫସିଏ) ଆଧାରରେ ଦିଆଯାଇଥିଲା । ନିକଟରେ ଯେବେ ଆମେରିକା ଏହି କୋହଳକୁ ରଦ୍ଦ କରିବାକୁ ସଙ୍କେତ ଦେଇଥିଲା, ଏଥିରେ ନୂଆଦିଲ୍ଳୀର ଚିନ୍ତା ବଢି ଯାଇଥିଲା । ମାତ୍ର ଏବେ ତାଜା ବିସ୍ତାର ସହ ଭାରତ ପୋର୍ଟର ସଞ୍ଚାଳନକୁ ବିନା କୌଣସି ତତ୍କାଳ କଟକଣାରେ ଜାରି ରଖି ପାରିବ ।
ଚାବହାର ପୋର୍ଟ ଇରାନର ଦକ୍ଷିଣ-ପୂର୍ବ ତଟରେ ଗୋଲ୍ଫ ଅଫ ଓମାନ କୂଳରେ ଅବସ୍ଥିତ । ଏହା ଇରାନର ଏକମାତ୍ର ବନ୍ଦର ଯିଏ ମହାସାଗର ସହ ରହିଛି । ଏହା ଭାରତ, ଇରାନ ଓ ଆଫଗାନିସ୍ତାନ ମଧ୍ୟରେ ଏକ ରଣନୈତିକ ମାର୍ଗ । ଏହି ବନ୍ଦର ପାକିସ୍ତାନକୁ ବାଇପାସ କରି ଭାରତକୁ ଆଫଗାନିସ୍ତାନ ଓ ମଧ୍ୟ ଏସିଆ ସହ ସଂଯୋଗ କରୁଛି । ଭାରତ ଏ ପର୍ଯ୍ୟନ୍ତ ଆଫଗାନିସ୍ତାନକୁ ଗହମ ଓ ୟୁରିଆର ଅନେକ ଟ୍ରିପ ଚାବହାର ରାସ୍ତା ଦେଇ ପଠାଇଛି । ମାନବୀୟ ସହାୟତା ଆଧାରରେ ଭାରତ ଆଫଗାନିସ୍ତାନକୁ ଏହି ସହାୟତା କରି ଆସିଛି ।
ନିବେଶ ଓ ନୂଆ ଭାଗିଦାରୀ
୨୦୨୪ ମେରେ ଭାରତ ଓ ଇରାନ ମଧ୍ୟରେ ୧୦ ବର୍ଷର ଚୁକ୍ତିନାମା ହୋଇଥିଲା । ଯାହାରି ଆଧାରରେ ଭାରତ ଚାବହାରର ସହିଦ ବେହେସ୍ତି ଟର୍ମିନାଲର ବିକାଶରେ ଏ ପର୍ଯ୍ୟନ୍ତ ୧୨୦ ମିଲିୟନ ଡଲାରରୁ ଅଧିକ ନିବେଶ କରି ସାରିଛି । ଏହି ନିବେଶରେ ଆଧୁନିକ ଉପକରଣର ଆପୂର୍ତ୍ତି, ଟର୍ମିନାଲ ଅପଗ୍ରେଡ ଓ ଇଣ୍ଟରନ୍ୟାସନାଲ ନର୍ଥ-ସାଉଥ ଟ୍ରାନ୍ସପୋର୍ଟ କରିଡର ସହ କନେକ୍ଟିଭିଟି ପରି ପ୍ରକଳ୍ପ ସାମିଲ୍ ।
Also read: ଅଷ୍ଟମ ବେତନ ଆୟୋଗରେ ସର୍ବପ୍ରଥମେ କେଉଁ କର୍ମଚାରୀଙ୍କ ବଢିବ ଦରମା ? ଜାଣନ୍ତୁ ଡିଟେଲ