ମୁମ୍ବାଇ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଭାରତୀୟ ଆଧାର କାର୍ଡ । ଟ୍ରମ୍ପଙ୍କ ନାଁରେ ମିଥ୍ୟା ଆଧାରକାର୍ଡ ବନାଇବାକୁ ନେଇ ଫସିଛନ୍ତି ଏନସିପି ନେତା ଶରଦ ପାୱାରଙ୍କ ପୁତୁରା ତଥା ବିଧାୟକ ରୋହିତ ପାୱାର । ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ରୋହିତ ପାୱାର ଭୋଟ ଚୋରୀର ପର୍ଦ୍ଦାଫାସ୍ କରିବାକୁ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଏବେ ସେ ନିଜେ ଫସି ଯାଇଛନ୍ତି । ରୋହିତ ଫର୍ଜ କାଗଜ ପତ୍ର ଦେଇ ଡୋନାଲ୍ଡ ଟ୍ରମ୍ପଙ୍କ ନାମାରେ ଆଧାର କାର୍ଡ ତିଆରି କରିଥିଲେ । ଯେଉଁଥିରେ ନାମ ଥିଲା, ଡୋନାଲ୍ଡ ତାତ୍ୟା ଟ୍ରମ୍ପ୍, ଜନ୍ମ- ୧ ଜାନୁୟାରୀ ୧୮୨୫ ଏବଂ ଲିଙ୍ଗ ସ୍ତ୍ରୀ । ରୋହିତ ଗତ ୧୬ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦେଖାଇଥିଲେ ଏବଂ ଦାବି କରିଥିଲେ ଯେ କପରି ଫର୍ଜି ଆଧାରକାର୍ଡ ହୋଇପାରୁଛି । କିନ୍ତୁ ସେ ନିଜ ଷଡ଼ଯନ୍ତ୍ରରେ ନିଜେ ଫସିଯାଇଛନ୍ତି ।
ଭାରତୀୟ ଜନତା ପାର୍ଟି ରୋହିତଙ୍କ ନାଁରେ ମାମଲା ରୁଜୁ କରିଛି । ମୁମ୍ବାଇର ଦକ୍ଷିଣ ସାଇବର ଥାନାରେ ରୋହିତ ପାୱାର, ୱେବସାଇଡ୍ ତିଆରି କରିଥିବା ଲୋକ ଏବଂ ଅନ୍ୟମାନଙ୍କ ନାମରେ ଏତଲା ଦିଆଯାଇଛି । ଏଭଳି ଫର୍ଜି କାମ ଦେଶର ସୁରକ୍ଷା ଉପରେ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ବିଜେପି ଅଭିଯୋଗ କରିଛି ।
ସେପଟେ ରୋହିତ ସଫେଇ ଦେଇଛନ୍ତି । ସେ କହିଛନ୍ତି କେବଳ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାକୁ ପଦାରେ ପକାଇବାକୁ ଏପରି କରିଥିଲେ ।