ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି। ଏଥିରେ ପୋଲିସ ଚାଞ୍ଚଲ୍ୟକର ଦାବି କରିଛି। ପୋଲିସର ସତ୍ୟପାଠରେ ଉଲ୍ଲେଖ କରିଛି ଯେ, ୨୦୨୦ ଦିଲ୍ଲୀ ଦଙ୍ଗା ସରକାର ପରିବର୍ତ୍ତନ ପାଇଁ ଏକ ଷଡ଼ଯନ୍ତ୍ର ଥିଲା। ଉମର ଖାଲିଦ, ଶାର୍ଜିଲ ଇମାମ, ମୀରାନ ହାଇଦର, ଗୁଲଫିଶା ଫାତିମା ଏବଂ ଅନ୍ୟାନ୍ୟ ଦିଲ୍ଲୀ ଦଙ୍ଗା ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବିରୋଧ କରି ପୋଲିସ ଏହି ଦାବି କରିଛି।
ଦିଲ୍ଲୀ ପୋଲିସ ଅନୁଯାୟୀ, ଏହି ଷଡ଼ଯନ୍ତ୍ରରେ ଉତ୍ତର ପ୍ରଦେଶ, ଆସାମ, ପଶ୍ଚିମବଙ୍ଗ, କେରଳ ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ସମେତ ସାରା ଦେଶରେ ହିଂସା କରିବାକୁ ପ୍ରୟାସ କରାଯାଇଥିଲା। ଉମର ଖାଲିଦ ଏବଂ ଶର୍ଜିଲ ଇମାମ ଷଡ଼ଯନ୍ତ୍ରକାରୀ ଥିଲେ ଯେଉଁମାନେ ଲୋକଙ୍କୁ ହିଂସା ପାଇଁ ଉସୁକାଇଥିଲେ। ୨୦୨୦ଫେବୃଆରୀରେ, ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ସମୟରେ ଦିଲ୍ଲୀରେ ହିଂସା ଘଟିଥିଲା। ଏଥିରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଶହ ଶହ ଲୋକ ଆହତ ହୋଇଥିଲେ।
ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ଓକିଲ ରଜତ ନାୟାର ଏବଂ ଧ୍ରୁବ ପାଣ୍ଡେ ଦିଲ୍ଲୀ ପୋଲିସ ପକ୍ଷରୁ କୋର୍ଟରେ ପକ୍ଷ ରଖିଛନ୍ତି। ସତ୍ୟପାଠରେ କୁହାଯାଇଛି ଯେ ୨୦୨୦ ଦଙ୍ଗା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଯୋଜନା କରାଯାଇଥିଲା ଯାହା ଦ୍ୱାରା ଆନ୍ତର୍ଜାତୀୟ ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରାଯାଇପାରିବ। ଏମିତି ହେଲେ ଦେଶର ଛବି ଖରାପ ହେବ ଏବଂ ବିଶ୍ୱକୁ ସନ୍ଦେଶ ଦିଆଯାଇ ପାରିବ ଯେ, ନାଗରିକତ୍ୱ ସଂଶୋଧନ ଆଇନ (CAA) ମାଧ୍ୟମରେ ଦେଶରେ ମୁସଲମାନମାନଙ୍କୁ ଟାର୍ଗେଟ କରାଯାଉଛି। ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅନୁଯାୟୀ ଅଭିଯୁକ୍ତ କରାଯାଇଛି।
ପୋଲିସ କହିଛି ଯେ ୨୦୨୦ ଫେବୃଆରୀରେ ଦିଲ୍ଲୀରେ ଘଟିଥିବା ହିଂସା ଏକ ସ୍ୱତଃସ୍ଫୂର୍ତ୍ତ ବିସ୍ଫୋରଣ ନୁହେଁ ବରଂ ଭାରତର ଆଭ୍ୟନ୍ତରୀଣ ସଦ୍ଭାବନା ଏବଂ ଅନ୍ତର୍ଜାତୀୟ ପ୍ରତିଷ୍ଠାକୁ ଅସ୍ଥିର କରିବା ପାଇଁ ଏକ ଜାଣିଶୁଣି ପ୍ରୟାସ ଥିଲା। ସିଏଏ ବିରୋଧୀ ପ୍ରତିବାଦକୁ ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ଉପରେ ଆକ୍ରମଣ କରିବା ପାଇଁ ଏକ ଅସ୍ତ୍ର ଭାବରେ ବ୍ୟବହାର କରିବାର ଏକ ଷଡ଼ଯନ୍ତ୍ର ଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ପୋଲିସ ସତ୍ୟପାଠରେ କହିଛି ଯେ ତଦନ୍ତକାରୀ ଏଜେନ୍ସି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ଡକ୍ୟୁମେଣ୍ଟ ଏବଂ ବୈଷୟିକ ପ୍ରମାଣ ଆଧାରରେ ଏହି ସତ୍ୟପାଠ ଦାଖଲ କରିଛନ୍ତି। ଏସବୁ ପ୍ରମାଣ ସୂଚିତ କରୁଛି ଯେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର, ପୂର୍ବ ଯୋଜନାବଦ୍ଧ ଏବଂ ସମୟବଦ୍ଧ ଥିଲା। ସିଏଏକୁ ଆନ୍ତର୍ଜାତୀୟ ଆଲୋଚନାର ବିଷୟ କରିବା ଏବଂ ଭାରତର ଛବିକୁ ଖରାପ କରିବା ପାଇଁ ହିଂସାକାଣ୍ଡ ଭିଆ ଯାଇଥିଲା।
ଦିଲ୍ଲୀ ପୋଲିସ ଏହା ମଧ୍ୟ କହିଛି ଯେ ଉମର ଖାଲିଦ, ଶାର୍ଜିଲ ଇମାମ, ମୀରାନ ହାଇଦର ଏବଂ ଗୁଲଫିଶା ଫାତିମା ଜାଣିଶୁଣି ମାମଲାକୁ ଗଡ଼ାଇ ଚାଲିଛନ୍ତି। ଅଭିଯୁକ୍ତମାନେ ବିଚାରକୁ ବିଳମ୍ବ କରିବା ପାଇଁ ବାରମ୍ବାର ମିଥ୍ୟା ଆବେଦନ ଦାଖଲ କରୁଛନ୍ତି, ଯାହା ନ୍ୟାୟିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି। ସୁପ୍ରିମକୋର୍ଟ ଅକ୍ଟୋବର ୩୧ରେ ଏହି ପୋଲିସର ଏହି ସତ୍ୟପାଠ ଉପରେ ଶୁଣାଣି କରିବେ।