କଟକ: ରାଜ୍ୟରେ ହାତୀ ମୃତ୍ୟୁ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି ଓଡିଶା ହାଇକୋର୍ଟ । ବିଶେଷ କରି ବିଦ୍ୟୁତ ଆଘାତରେ ପ୍ରାଣ ହରାଉଥିବା ହାତୀଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ମଙ୍ଗଳବାର ଏହି ମାମଲାରେ ଶୁଣାଣି ସମୟରେ ରାଜ୍ୟ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ଦାଖଲ ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ ୨୦୨୧ ରୁ ଚଳିତ ବର୍ଷ ନଭେମ୍ବର ସୁଦ୍ଧା କେବଳ ବିଦ୍ୟୁତ ଆଘାତରେ ୮୫ ଟି ହାତୀ ମୃତ୍ୟୁ ବରଣ କରିଥିବା ଉଲ୍ଲେଖ ରହିଛି। ତେଣୁ ହାତୀ ମାନଙ୍କ ସୁରକ୍ଷା ଲାଗି ତୁରନ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଲାଗି ଆଜି ପିସିସିଏଫଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଆଜି ଦିନ ଧାର୍ଯ୍ୟ ହୋଇଛି।
ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କ ସହ ଆଲୋଚନା କରି ୧୦ ଦିନ ମଧ୍ୟରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ବିଦ୍ୟୁତ ଆଘାତରେ ଗୋଟିଏ ଦିନରେ ୩ ଟି ହାତୀ ଅକାଳ ମୃତ୍ୟୁ ଘଟିଥିଲା, ଯାହାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ନିଜଆଡୁ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାର ରେଢାଖୋଲ ଡିଭିଜନ ଅନ୍ତର୍ଗତ ନାକଟିଦେଉଳ ବନଖଣ୍ଡର ବୁରମାଳ ଜଙ୍ଗଲରେ ବିଦ୍ୟୁତ୍ ଆଘାତ ଲାଗି ୩ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଥିଲା। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁର ତଦନ୍ତ ଲାଗି ଜେଟିଏଫକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରି ତୁରନ୍ତ ଏହାଉପରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଆଦେଶ ଦେଇଥିଲେ।