କଟକ: ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ମଧୁପାଟଣା ଥାନା ପୁଲିସ ଆଜି ଆଉ ଜଣେ ଦଲାଲକୁ ଗିରଫ କରିଛି । ଗିରଫ ଦଲାଲ ଜଣକ ହେଲେ ଝାରପଡା ଅଞ୍ଚଳର ଅବଦୁଲ ସୟଦୁଲ ସୁଲେମାନ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା ।
ଡିସିପିଙ୍କ ସୂଚନା ମୁତାବକ, ଦୁଇ ଦିନ ତଳେ ଗୋପାଳପୁରରୁ ଦୁଇ ଜଣ ଓମ ପ୍ରକାଶ ଚୌଧୁରୀ ଓ ଜାସ୍ମିନ ଚୌଧୁରୀଙ୍କୁ ଗିରଫ କରିବା ପରେ ଗତକାଲି ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ପୁଲିସ ଟିମ୍ ଚଢ଼ଉ କରିଥିଲା । ଏହି କ୍ରମରେ ଦଲାଲ୍ ଅବଦୁଲ ସୟଦୁଲ ସୁଲେମାନ ଧରାପଡ଼ିଛି । ଏହା ବ୍ୟତୀତ ଅନ୍ୟ ଜଣେ ଦଲାଲକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ପୀଡ଼ିତା ସୁଲେମାନକୁ ଚିହ୍ନଟ କରିବା ପରେ ପୁଲିସ ତାକୁ ଗିରଫ କରିଛି । ଏହି ରାକେଟରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି ।
ଏହି ମାମଲାରେ ସୋମବାର ଦିନ କଟକ ସିଟି ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯିବା ସହ ଡାକ୍ତରଖାନାରେ ଡାକ୍ତରୀ ମାଇନା ହୋଇଛି । ପୀଡ଼ିତାକୁ ବାଂଲାଦେଶରୁ ଚାଲାଣ ପରେ ଓଡ଼ିଶାରେ କେଉଁ କେଉଁ ସ୍ଥାନରେ ତାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା ତାହାର ତଦନ୍ତ କରାଯାଉଛି । ସେପଟେ ପୀଡିତାଙ୍କ ପରିବାର ଲୋକଙ୍କ ନିବେଦନ କ୍ରମେ ତାଙ୍କୁ ବାଂଲାଦେଶ ପଠାଇବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି କଟକ ଡିସିପି ।