ଭୁବନେଶ୍ୱର: ସମ୍ବିଧାନ ଦିବସରେ ଆଜୀବନ କାରଦଣ୍ଡ ଭୋଗୁଥିବା ୧୪ଜଣ କଏଦୀଙ୍କୁ ଜେଲରୁ ମୁକ୍ତ କରାଯାଇଛି । ରାଜ୍ୟର ବିଭିନ୍ନ ଜେଲରେ ସଜା କାଟୁଥିବା କଏଦୀମାନେ ମୁକ୍ତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଜେଲ ଡିଜି ଅରୁଣ କୁମାର ରାୟ ।
ରାଉଲକେଲାରୁ ୨, ଜାମୁଝରି ଜେଲରୁ ୩, କୋରାପୁଟ ଜେଲରୁ ୪, ସମ୍ବଲପୁର, ଭୁବନେଶ୍ୱର ଓ ଫୁଲବାଣୀ, ବଣାଇଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏଁ କଏଦୀଙ୍କୁ ମୁକ୍ତ କରାଯାଇଛି ।
ଏମାନେ ବିଭିନ୍ନ ଅପରାଧୀକ ମାମଲାରେ ଜଡ଼ିତ ଥିଲେ । ଜେଲରେ କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ମୁକୁଳାଇବା ପାଇଁ ଜେଲ ବିଭାଗ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସୁପାରିସ କରିଥିଲା । ଆଉ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ମିଳିବା ପରେ ଏହି କଏଦୀ ମାନଙ୍କୁ ଜେଲରୁ ମୁକ୍ତି ମିଳିଛି ।
ସେପଟେ ବିଏନଏସ ୪୭୯ ଦଫାରେ ୧୦ ଜଣ ବିଚାରଧୀନ କଏଦୀଙ୍କୁ ମଧ୍ୟ ଜେଲରୁ ଜାମିନ ଦିଆଯାଇଛି । ଯେଉଁଥିରେ ଭୁବନେଶ୍ୱରରୁ ୯ ଜଣ ଜଗତସିଂହପୁରରେ ଜଣେ କଏଦୀ ଅଛନ୍ତି । ଏମାନେ ନିଜ ସଜାର ଏକ ତୃତୀୟାଂଶ ଜେଲରେ କାଟିଛନ୍ତି । ସେହିପରି ଅନୁଗୁଳର ଜଣେ, ରାଉଲକେଲାର ଜଣେ ଓ ପାଟଣାଗଡ଼ର ଜଣେ କଏଦୀଙ୍କୁ ଛାଡିବା ପାଇଁ ସୁପାରିଶ ହୋଇଛି ।