ସମ୍ବଲପୁର : ପୁଣି ଥରେ ଚର୍ଚ୍ଚାରେ ବୁର୍ଲା ଭିମସାର ହସ୍ପିଟାଲ। ଏକ ନବଜାତ ଶିଶୁ ପୁତ୍ର ଭିମସାର ମେଡିକାଲରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସୁଚନା ଅନୁସାରେ, ଛତିଶଗଡ଼ ରାଜ୍ୟର ଜଣେ ମହିଳା ୨ଦିନ ହେବ ଭିମସାର ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲା। ତେବେ ମଙ୍ଗଳବାର ମହିଳା ଜଣକ ନିଜ ବେଡରେ ଶୋଇଥିବା ବେଳେ ଜଣେ ମହିଳା ତାଙ୍କ ଶିଶୁପୁତ୍ରକୁ ଧରି ଫେରାର ମାରିଥିବା କୁହାଯାଉଛି। ତେବେ ଏନେଇ ମହିଳା ଜଣକ ଜାଣିବା ପରେ ତୁରନ୍ତ ଏହି ଘଟଣା ବାବଦରେ ବୁର୍ଲା ଥାନାକୁ ଜଣାଯାଇଥିଲା।
ଏହାପରେ ଘଟଣା ସ୍ଥଳରେ ବୁର୍ଲା ଏସଡିପିଓ ତଥା ଥାନା ଅଧିକାରୀ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ ଭିମସାର ଅଧିକ୍ଷକ ମଧ୍ୟ ନିଜେ ଶିଶୁ ପୁତ୍ର ଚୋରି ନେଇ ଜାଣିବାପରେ ଚୋରି ହୋଇଥିଡା ଶିଶୁର ପରିବାରବର୍ଗଙ୍କୁ ଭେଟିଛନ୍ତି। ଏହାସହ ପୋଲିସ ଭିମସାର ମେଡିକାଲରେ ଲାଗିଥିବା ସବୁ ସିସିଟିଭିକୁ ଯାଞ୍ଚ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି। ତେବେ ବୁର୍ଲା ଭିମସାର ମେଡିକାଲରୁ ଏପରି ଜଣେ ନବଜାତ ଶିଶୁ ପୁତ୍ର ଚୋରି ଘଟଣାକୁ ନେଇ ମେଡିକାଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।