ଭୁବନେଶ୍ୱର: ରାଜ୍ୟରେ କେତେ ହାତୀ ଅଛନ୍ତି । ଏହାକୁ ନେଇ ଚାଲିଥିବା ଶୀତକାଳୀନ ହାତୀ ଗଣନା ସରିଛି। ଆସନ୍ତାକାଲି ଅର୍ଥାତ ବୁଧବାର ଏନେଇ ବିସ୍ତୃତ ରିପୋର୍ଟ ଆସିବ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।
ସେ କହିଛନ୍ତି,ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି। ଯେଭଳି କୌଣସି ହାତୀ ଦୁଇ ଥର ଗଣତି ନ ହୁଏ, ଫିଲ୍ଡ ଡାଟାର ତାଳମେଳ କରାଯାଉଛି, ଜିପିଏସ୍ କୋର୍ଡିନେଟ କରାଯାଉଛି । ଖରାଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀଗୁଡ଼ିକ ଅଭୟାରଣ୍ୟ ଭିତରେ ଥିଲେ, ଏବେ ସେଗୁଡ଼ିକ ଜନବସତିମୁହାଁ ହୋଇଛନ୍ତି। ସେସବୁ ତଥ୍ୟ ଏକାଠି କରାଯାଉଛି। ଆସନ୍ତାକାଲି ସୁଦ୍ଧା ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ ହେବ ।
ସେ କହିଛନ୍ତି ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ କେତେ ହାତୀ ଅଛନ୍ତି ଓ ସୀମାନ୍ତ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି ତାହା ଜଣା ପଡିବ। ଯେ ପର୍ଯ୍ୟନ୍ତ ରିପୋର୍ଟ ଚୂଡ଼ାନ୍ତ ହୋଇନି, ରାଜ୍ୟରେ କେତେ ହାତୀ କହିବା କେବଳ ଏକ ଆକଳନ ହେବ। ତେବେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବା ପରେ ରାଜ୍ୟରେ କେତେ ହାତୀ ଅଛନ୍ତି ସ୍ପଷ୍ଟ ହେବ। ସୂଚନାଯୋଗ୍ୟ, ଗତ ଗଣନାରେ ରାଜ୍ୟରେ ୨୦୯୮ ହାତୀ ଥିଲେ ।
ଏହା ପୂର୍ବରୁ ରିପୋର୍ଟ ସାମ୍ନାକୁ ଆସିଥିଲା ଯେ, ଓଡିଶାରେ ହାତୀଙ୍କ ରହିବା ପାଇଁ ଜାଗାର ଅଭାବ ରହିଛି । ଜଙ୍ଗଲ ତୁଳନାରେ ରାଜ୍ୟରେ ହାତୀଙ୍କ ସଂଖ୍ୟା ଅଧିକ ରହିଛି । ତେଣୁ ହାତୀ ଜନବସତିମୁହାଁ ହେଉଛନ୍ତି । ପୁଣି ଜଙ୍ଗଲରେ ମାଫିଆଙ୍କ ଦୌରାତ୍ମ୍ୟ ବଢୁଥିବାରୁ ହାତୀଙ୍କ ଅକାଳ ମୃତ୍ୟୁ ଘଟୁଛି । ହାତୀ ଓ ମଣିଷ ଲଢେଇ ମଧ୍ୟରେ ବି ଓଡିଶାରେ ହାତୀଙ୍କ ସଂଖ୍ୟା ଅଧିକ ଥିବା କିଛିଟା ଆଶ୍ୱସ୍ତି ପ୍ରଦାନ କରୁଛି ।