ଭୁବନେଶ୍ୱର: ଆଜି ଦେଶରେ ସମ୍ବିଧାନ ଦିବସ ପାଳିତ ହେଉଛି । ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭୁବନେଶ୍ୱରରେ ଏଜି ଛକ ଡକ୍ଟର ଭୀମ୍ରାଓ ରାମ୍ଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ପଦଯାତ୍ରା ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲ ଯାଏଁ ‘ଆମ ସମ୍ବିଧାନ ଆମ ସ୍ୱାଭିମାନ’ ଶୀର୍ଷକରେ ପଦଯାତ୍ରା ହୋଇଥିଲା । ଏହା ସହିତ ମୁଖ୍ୟମନ୍ତ୍ରୀ ନିଜେ ଝାଡ଼ୁ ଧରି ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆୟୋଜିତ ସଭାକୁ ସମ୍ବୋଧନ କରି ସମ୍ବିଧାନର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ବିଧାନ ହେଉଛି ସ୍ୱାଧୀନ ଭାରତର ପୂଣ୍ୟ ଗ୍ରନ୍ଥ, ମାର୍ଗଦର୍ଶକ ଏବଂ ଆଇନ କାନୁନର ମୁଖ୍ୟ ସ୍ରୋତ । ଯେବେଠାରୁ ସମ୍ବିଧାନ ପ୍ରଣୟନ ହୋଇଛି ସେବେଠାରୁ ଭାରତ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହୋଇଥିଲା । ଯେଉଁଦିନ ଠାରୁ ସମ୍ବିଧାନ କାର୍ଯ୍ୟକାରୀ ହେଲା ସାରା ବିଶ୍ୱରେ ସଫଳତା ପୂର୍ବକ ଲୋକମାନଙ୍କ ହିତରେ କାର୍ଯ୍ୟ କରି ଆସୁଛି ।
ଆମ ସମ୍ବିଧାନ ଆମ ପାଇଁ ଏକ ଆଶୀର୍ବାଦ । ଏହା ଜାତି-ଧର୍ମ, ଧନୀ - ଗରିବ, ପୁରୁଷ - ନାରୀ ନିର୍ବିଶେଷରେ ସମସ୍ତଙ୍କୁ ସମ୍ମାନ ଅଧିକାର ଦେଇଛି । ତେଣୁ ଆମେ ଆମର ସମ୍ବିଧାନ ନିର୍ମାତା ମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଚିତ୍ ବୋଲି ସେ କହିଥିଲେ।
ସମ୍ବିଧାନର ଏକତା ଓ ଅଖଣ୍ଡତା, ମୌଳିକ କର୍ତ୍ତବ୍ୟ ପାଳନ କରିବା ଏବଂ ଦେଶର ସାର୍ବଭୌମତା ବଜାୟ ରଖିବାକୁ ସମସ୍ତଙ୍କୁ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ । ଆମ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ। ଦେଶର ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ଦାୟିତ୍ୱବାନ ହୋଇ କାମ କରିବା ଆବଶ୍ୟକ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ସଂସଦୀୟ ବ୍ୟପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବିଜେପି ରାଜ୍ୟ ସଭାପତି ମୁକେଶ ମହାଲିଙ୍ଗ ପ୍ରମୁଖ ସାମିଲ ହୋଇଥିଲେ । ଏହା ସହିତ ଅନେକ ଛାତ୍ରଛାତ୍ରୀ, ସାଧାରଣ ଜନତା ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ।
୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ବିଧିବଦ୍ଧ ଭାବେ ଆପଣା ଯାଇଥିଲା । ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୫ ଠାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି କ୍ରମେ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି।