ହାଇଦ୍ରାବାଦ: ଆମେରିକାର ସୋଲାର ପାୱାର କଣ୍ଟ୍ରାକ୍ଟ ପାଇଁ ଲାଞ୍ଚ ଦେବା ଓ ନିବେଶକଙ୍କ ସହିତ ଠକାମୀର ସଙ୍ଗୀନ ଅଭିଯୋଗ ପରେ ଗୌତମ ଆଦାନୀ ଓ ଆଦାନୀ ଗ୍ରୁପର ମୁସ୍କିଲ ଲଗାତାର ବଢିବାରେ ଲାଗିଛି । ସଦ୍ୟତମ ଖବର ଅନୁଯାୟୀ, ଆନ୍ଧ୍ର ପ୍ରଦେଶ ସରକାର ଆଦାନୀ ଗ୍ରୁପ ସହ ପାୱାର ସପ୍ଲାଇ କଂଟ୍ରାକ୍ଟ ବାତିଲ କରିପାରେ । ଏଥିପାଇଁ ଆନ୍ଧ୍ର ପ୍ରଦେଶ ସରକାର ଫାଇଲଗୁଡିକର ସମୀକ୍ଷା କରୁଛନ୍ତି । ଏହି ସୂଚନା ରୟଟର୍ସର ରିପୋର୍ଟରେ ଉଲ୍ଲେଖ ରହିଛି ।
ରାଜ୍ୟର ଅର୍ଥ ମନ୍ତ୍ରୀ ପୟାବୁଲା କେଶବ ସୋମବାର ରୟଟର୍ସକୁ ଜଣାଇଛନ୍ତି ଯେ, ଆନ୍ଧ୍ର ପ୍ରଦେଶ ସରକାର ପୂର୍ବ ସରକାରର ସମସ୍ତ ଆଭ୍ୟନ୍ତରୀଣ ଫାଇଲର ଯାଞ୍ଚ କରୁଛନ୍ତି । ପୂର୍ବ ଫାଇଲ୍ ଆଧାରରେ ହିଁ ଏସବୁ ଅଭିଯୋଗ ଆସିଛି । ତେଣୁ ସବୁ ଦିଗରୁ ସମୀକ୍ଷା କରିବା ପରେ ହିଁ କଂଟ୍ରାକ୍ଟ ବାତିଲ କରାଯିବା ଉପରେ ନିଷ୍ପତ୍ତି ନିଆଯିବ । ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରିଥିବା ଅର୍ଥ ମନ୍ତ୍ରୀ କେଶବ କହିଛନ୍ତି ।
କଣ ମାମଲା
ଆମେରିକା ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ଗୌତମ ଆଦାନୀ ଓ ଅନ୍ୟ ସାତ ୨୦୨୧ ଓ ୨୦୨୨ ମଧ୍ୟରେ ଓଡିଶା, ତାମିଲନାଡୁ, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ଜମ୍ମୁ-କାଶ୍ମୀରରେ ସୋଲାର ଏନର୍ଜି ସପ୍ଲାଇ କଂଟ୍ରାକ୍ଟ ପାଇବା ପାଇଁ କିଛି ଭାରତୀୟ ଅଧିକାରୀଙ୍କୁ ୨୬୫ ମିଲିୟନ ଡଲାର ଲାଞ୍ଚ ଦେଇଥିଲେ । ଆମେରିକାର ଆଇନ ବିଭାଗ ଆଦାନୀ ଓ ତାଙ୍କ ଭଣଜା ସାଗର ଆଦାନୀଙ୍କ ସହିତ ବଜାର ଦରରୁ ମହଙ୍ଗା ଦରରେ ସୋଲାର ଏନର୍ଜି କିଣିବା ପାଇଁ ଆନ୍ଧ୍ର ପ୍ରଦେଶ ଓ ଓଡିଶାର ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ କରିଛନ୍ତି ।
କିନ୍ତୁ ଏଥିରେ କେଉଁ ଅଧିକାରୀଙ୍କୁ ଲାଞ୍ଚ ଦିଆଯାଇଛି ତାର ଖୁଲାସା କରାଯାଇ ନାହିଁ । ଆନ୍ଧ ପ୍ରଦେଶର ଜଣେ ଅଧିକାରୀଙ୍କୁ ପ୍ରତି ମେଗାୱାଟ ପିଛା ୨୫ ଲକ୍ଷ ଟଙ୍କା ଲାଞ୍ଚ ଦିଆଯାଇଥିଲା । ଏହା ପରେ ରାଜ୍ୟ ସରକାର ସାତ ହଜାର ମେଗାୱାଟ ସୋଲାର ଏନର୍ଜି କିଣିବା ପାଇଁ ସହମତ ହୋଇଥିଲା । କିନ୍ତୁ ଆଦାନୀ ଗ୍ରୁପ ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ନିରାଧାର ଓ ଭିତ୍ତିହୀନ ବୋଲି କହିଛି ।