ଜମ୍ମୁ-କାଶ୍ମୀରର ପୁଞ୍ଛ ଏବଂ ରାଜୌରୀ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ତାଣ୍ଡବ ରଚିଛି। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଉପରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ରହିଛି। ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅପିଲ କରାଯାଇଛି।
ଜମ୍ମୁ-କାଶ୍ମୀରର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି, ଯାହା ଫଳରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ପୁଞ୍ଛ ଏବଂ ରାଜୌରୀ ଜିଲ୍ଲାରେ ବର୍ଷା ଭୟଙ୍କର କ୍ଷତି ପହଞ୍ଚାଇଛି। ଅନେକ ଅଞ୍ଚଳରେ ଲୋକଙ୍କ ଘର ଭିତରେ ପାଣି ପଶିଯାଇଛି। ବନ୍ୟା ଜଳରେ ଗାଡ଼ିଗୁଡ଼ିକ ଭାସିଯାଇଛି। ଏହି ଆକାଶୀ ଆପଦ ଯୋଗୁଁ ଲୋକମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି। ପୀର ପଞ୍ଜାଲ ଅଞ୍ଚଳରେ ଆସିଥିବା ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି, ଯେତେବେଳେ କି ଅନେକ ଲୋକ ନିଖୋଜ ଥିବା ଖବର ମିଳିଛି।
ପାହାଡ଼ରୁ ତୀବ୍ର ବେଗରେ ପାଣି, ଚଟାଣ ଏବଂ ପଥର-ମାଟି ଖସିବା ଯୋଗୁଁ ଅନେକ ଘର ଏହାର କବଳରେ ଆସିଯାଇଛି। ମାଟି ଅଳିଆ ଆବର୍ଜନା ତଳେ ଆହୁରି ଅନେକ ଲୋକ ଫସି ରହିଥାଇପାରନ୍ତି, ତେଣୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ନିଖୋଜ ଲୋକଙ୍କୁ ଖୋଜାଖୋଜି ଜାରି ରହିଛି।
ମୁଖ୍ୟମନ୍ତ୍ରୀ କଲେ ରିଲିଫ୍ କାର୍ଯ୍ୟର ସମୀକ୍ଷା
ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ନିଜର ଦିଲ୍ଲୀ ଗସ୍ତକୁ ଅଧାରୁ ବାତିଲ କରି ପ୍ରବଳ ବର୍ଷା ଯୋଗୁଁ ସୀମାନ୍ତ ଜିଲ୍ଲାଗୁଡ଼ିକରେ ହୋଇଥିବା କ୍ଷୟକ୍ଷତି ପରେ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ଜମ୍ମୁ ଅଭିମୁଖେ ବାହାରିଛନ୍ତି। ପୁଲିସ, ସେନା, ଏସଡିଆରଏଫ (SDRF), ବେସାମରିକ ପ୍ରଶାସନ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ପୁଞ୍ଛର ସବୁଠାରୁ ଅଧିକ ପ୍ରଭାବିତ ସୁରନକୋଟ, ହବେଲୀ ଏବଂ ମଣ୍ଡି ଅଞ୍ଚଳରେ ମୁତୟନ ହୋଇଛନ୍ତି। ଏହି ସମୟରେ ଲୋକଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ, ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଅଧିକାରୀମାନଙ୍କ ସହ ବୈଠକ କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜମ୍ମୁ-ଶ୍ରୀନଗର NH-44 ରେ ଯାତାୟାତ ବାଧାପ୍ରାପ୍ତ
ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ-ଶ୍ରୀନଗର NH-44 ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ଅଧିକାରୀମାନେ ଯାତ୍ରୀମାନଙ୍କୁ ବିପଦପୂର୍ଣ୍ଣ ରାସ୍ତାରେ ଯାତ୍ରା ନକରିବାକୁ ଅନୁରୋଧ କରିଛନ୍ତି। ଜୁଲାଇ ୩ ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ଏବଂ କାଟ୍ରାସ୍ଥିତ ବୈଷ୍ଣୋ ଦେବୀ ମନ୍ଦିର ତଥା ରିଆସୀସ୍ଥିତ ଶିବ ଖୋରୀର ତୀର୍ଥଯାତ୍ରାଗୁଡ଼ିକୁ ଆଗାମୀ ତିନି ଦିନ ପାଇଁ ଖରାପ ପାଣିପାଗ ପୂର୍ବାନୁମାନ ଯୋଗୁଁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।
ଗୋଟିଏ ପରିବାରର ୮ ଜଣ ସଦସ୍ୟଙ୍କ ମୃତ୍ୟୁ
ବର୍ଷା ଯୋଗୁଁ ସୁରନକୋଟର ଲୋଅର ମୁର୍ରା ଅଞ୍ଚଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି, ଯେଉଁଠାରେ ଗୋଟିଏ ପରିବାରର ୮ ଜଣ ସଦସ୍ୟ ପାଣିର ପ୍ରବଳ ସ୍ରୋତରେ ଭାସିଯାଇଥିଲେ ବୋଲି ଅଧିକାରୀମାନେ ଜଣାଇଛନ୍ତି। ସନ୍ଧ୍ୟା ସୁଦ୍ଧା ୩ ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ଖୋଜାଖୋଜି ଜାରି ରହିଛି। ମୃତକମାନଙ୍କ ମଧ୍ୟରେ ୫୯ ବର୍ଷୀୟା ନୂର ସଫିଆ, ତାଙ୍କର ୧୬ ବର୍ଷର ପୁଅ ସଜ୍ଜାଦ ଅହମ୍ମଦ, ୧୦ ବର୍ଷର ହକନୱାଜ ଅହମ୍ମଦ ଏବଂ ଶାହନୱାଜ ଅହମ୍ମଦ ସାମିଲ ଅଛନ୍ତି। ଏହା ବ୍ୟତୀତ ୨୫ ବର୍ଷୀୟା ଖାଲିଦା କୌସର, ତାଙ୍କର ୨ ବର୍ଷର ପୁଅ ସୋଫିୟାନ, ୬୦ ବର୍ଷୀୟା ବାନୋ ବି ଏବଂ ୭ ବର୍ଷର ମହମ୍ମଦ ଅକରମଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ସାଙ୍ଗଲା ଗାଁରେ ୪ ଜଣଙ୍କ ମୃତ୍ୟୁ
ସେହିପରି ସାଙ୍ଗଲା ଗାଁରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି, ଯେତେବେଳେ କି ନିକଟସ୍ଥ ସାଙ୍ଗଲାନୀରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ନୂନା ବାନ୍ଦୀ ଅଞ୍ଚଳରେ ୨୮ ବର୍ଷୀୟା ନାଜିୟା କୌସରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହାତ ହୋଇଥିବା ୪ ଜଣଙ୍କୁ ଚିକିତ୍ସା ପାଇଁ ପୁଞ୍ଛ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। LG ସିହ୍ନା କହିଛନ୍ତି ଯେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଭାବିତ ପରିବାରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ସମସ୍ତ ବିଭାଗକୁ ହାଇଆଲର୍ଟରେ ରଖାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ରାଜୌରୀ ଏବଂ ପୁଞ୍ଛରେ ହୋଇଥିବା ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତି ପାଇଁ ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ଲୋକଙ୍କୁ ସରକାରୀ ସୂଚନା/ଅପଡେଟ୍ ଅନୁସରଣ କରିବାକୁ ନିବେଦନ କରିଛନ୍ତି।
ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମୃତକଙ୍କ ପ୍ରତି ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଏବଂ ଆହାତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ମଧ୍ୟ ଜୀବନହାନି ଏବଂ ବ୍ୟାପକ କ୍ଷୟକ୍ଷତି ପାଇଁ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ବଢ଼ିଲା ଚିନାବ ନଦୀର ଜଳସ୍ତର
ଜମ୍ମୁ-କାଶ୍ମୀରରେ ଗତକାଲି ରାତିରୁ ଲଗାତାର ହେଉଥିବା ବର୍ଷା ଯୋଗୁଁ ରିଆସୀ ଜିଲ୍ଲାରେ ଚିନାବ ନଦୀର ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ନଦୀର ପାଣି ଅନେକ ତଳିଆ ଅଞ୍ଚଳରେ ମାଡ଼ିଚାଲିଛି। ସମଗ୍ର ଅଞ୍ଚଳ ଏବଂ ଉପର କ୍ୟାଚମେଣ୍ଟ (ଜଳଗ୍ରହଣ) ଅଞ୍ଚଳରେ କ୍ରମାଗତ ବର୍ଷା ହେବା ଯୋଗୁଁ ନଦୀ ଏବଂ ଏହାସହ ଜଡ଼ିତ ଶାଖା ନାଳଗୁଡ଼ିକରେ ପାଣିର ସ୍ରୋତ ବୃଦ୍ଧି ପାଇଛି, ଯାହା ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଲୋକଙ୍କୁ ସାବଧାନ ରହିବାକୁ, ନଦୀ ନିକଟକୁ ନଯିବାକୁ ଏବଂ ପ୍ରବଳ ସ୍ରୋତରେ ବୋହିଯାଉଥିବା ନାଳ ଓ ଅନ୍ୟାନ୍ୟ ବିପଜ୍ଜନକ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।