ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ପରିବା ହାଟରେ ପ୍ରାୟ ସବୁ ପରିବାର ଦର ହଠାତ୍ ବଢ଼ିଯାଇଥିବାରୁ ଖାଉଟିମାନେ ଚିନ୍ତାରେ ପଡ଼ିଛନ୍ତି। ୬୦ରୁ ୧୨୦ ଟଙ୍କା ମଧ୍ୟରେ ଅଧିକାଂଶ ପରିବା ବିକ୍ରି ହେଉଥିବାରୁ ରୋଷେଇ ଘରର ବଜେଟ୍ ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଛି।
ବଜାରରେ ବାଇଗଣ କିଲୋପିଛା ୮୦ରୁ ୧୦୦ ଟଙ୍କା, ପୋଟଳ ୫୦ରୁ ୬୦ ଟଙ୍କା, ଦେଶୀ କାଙ୍କଡ ୧୦୦ ଟଙ୍କା, କୋବି ୬୦ ଟଙ୍କା, ଭେଣ୍ଡି ୮୦ ଟଙ୍କା ଓ ବିନ୍ସ ୧୨୦ ଟଙ୍କା କିଲୋରେ ବିକ୍ରି ହେଉଛି। ପ୍ରତିଦିନର ରୋଷେଇରେ ବ୍ୟବହୃତ ଏହି ପରିବାଗୁଡ଼ିକର ଦର ବୃଦ୍ଧି ଗୃହିଣୀମାନଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ଅନେକ ଖାଉଟି କହିଛନ୍ତି, ପୂର୍ବରୁ ଯେତେ ଟଙ୍କାରେ ଏକ ସପ୍ତାହର ପରିବା କିଣୁଥିଲେ, ଏବେ ସେହି ଟଙ୍କାରେ ଦୁଇରୁ ତିନି ଦିନ ମଧ୍ୟ ଚଳିବା କଷ୍ଟକର ହୋଇପଡ଼ିଛି।
ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ଚାଷଜମିରେ ପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହାସହ ବିଭିନ୍ନ ଅଞ୍ଚଳରୁ ବଜାରକୁ ପରିବାର ଯୋଗାଣ ମଧ୍ୟ ହ୍ରାସ ପାଇଛି। ଫଳରେ ଚାହିଦା ଅନୁସାରେ ପରିବା ମିଳୁନଥିବାରୁ ଦର ଦ୍ରୁତ ଗତିରେ ବଢ଼ିଛି।
ଏପଟେ ଦର ବୃଦ୍ଧିକୁ ନେଇ ଗୃହିଣୀ ଓ ସାଧାରଣ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀର ମୂଲ୍ୟ ବୃଦ୍ଧି ମଧ୍ୟରେ ପରିବା ଦର ମଧ୍ୟ ଆକାଶଛୁଆଁ ହେବାରୁ ଘରୋଇ ବଜେଟ୍ ସମ୍ଭାଳିବା କଷ୍ଟକର ହୋଇପଡ଼ିଛି। ତେବେ ବର୍ଷା କମିବା ସହ ପରିବାର ଆଗମନ ସ୍ୱାଭାବିକ ହେଲେ ଦର ହ୍ରାସ ପାଇବ ବୋଲି ବ୍ୟବସାୟୀମାନେ ଆଶା ବ୍ୟକ୍ତ କରିଛନ୍ତି। ସେପର୍ଯ୍ୟନ୍ତ ଖାଉଟିଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼ିବ ବୋଲି ଚିତ୍ର ସ୍ପଷ୍ଟ ହେଉଛି।