ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ବେଳେ ଶକ୍ତି ବିଭାଗକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବାକୁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏଣିକି ମାଟି ତଳେ ତଳେ ଯିବ ବିଦ୍ୟୁତ ତାର । ଯାହାର ଡିପିଆର ପ୍ରସ୍ତୁତ ପାଇଁ ଶକ୍ତି ବିଭାଗର ସଚିବଙ୍କୁ ଦାୟିତ୍ୱ ଦିଆଯାଇଥିବାର ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା କିମ୍ବା ବାତ୍ୟା ସମୟରେ ଶକ୍ତି ବିଭାଗର ସର୍ବାଧିକ କ୍ଷତି ହୋଇଥାଏ । ଏହାର ଆକଳନ ରାଜସ୍ୱ ବିଭାଗ ବିଭାଗକୁ କରିବାକୁ ପଡ଼ିଥାଏ । ତେଣୁ ଆଗକୁ କିଭଳି ଏହି କ୍ଷୟକ୍ଷତି କମ୍ କରି ହେବ ସେଥିପାଇଁ ରାଜସ୍ୱ ବିଭାଗ ଚିନ୍ତା କରୁଛି । ଶକ୍ତି ବିଭାଗର କ୍ଷୟକ୍ଷତିକୁ କମ୍ କରିବାକୁ ମାଟି ତଳେ ବିଦ୍ୟୁତ ତାର ବିଛାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିନେଇ ଶକ୍ତି ବିଭାଗ ସଚିବଙ୍କ ସହ ଆଲୋଚନା ଶେଷ ହୋଇଥିବାବେଳେ ଡିପିଆର୍ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏହି ଡିପିଆର ପ୍ରଦାନ କରିବେ ।
ଭିତ୍ତିଭୂମି ଆବଣ୍ଟନ କରିବା ପାଇଁ ଟାଟା ପାୱାରକୁ ଦାୟିତ୍ୱ ଦିଆଯାଇଛି । ଯେହେତୁ ବିଦ୍ୟୁତ ଘରୋଇ କରଣ ହୋଇଯାଇଛି ତାର ଲାଭାଂଶ ଟାଟା ପାୱାର ପାଖକୁ ନଯାଇ କିଭଳି ଲୋକଙ୍କ ପାଖରେ ସିଧାସଳକ ପହଞ୍ଚିବ ସେଥିପାଇଁ ଆଲୋଚନା କମ୍ପାନୀ ସହି କରାଯାଉଛି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଶକ୍ତି ବିଭାଗ କ୍ଷୟକ୍ଷତିର ଭରଣା ରାଜସ୍ୱ ବିଭାଗ କରୁଛି । ପୂର୍ବରୁ ଶକ୍ତି ବିଭାଗର ବିପର୍ଯ୍ୟୟକାଳୀନ କ୍ଷୟକ୍ଷତି ବାବଦକୁ ୧୨ ଶହ କୋଟି ଟଙ୍କା ରାଜସ୍ୱ ବିଭାଗ ଦେଇଛି । ଖାଲି ସେତିକି ନୁହେଁ ରାଜ୍ୟରେ ପଞ୍ଚାୟତ ରାଜ, ପୂର୍ତ୍ତ ବିଭାଗ ଏବଂ ଜାତୀୟ ରାଜପଥ ପ୍ରାଧିକରଣକୁ ମଧ୍ୟ ଭିତ୍ତିଭୂମି ସଜାଡ଼ିବା ପାଇଁ କ୍ଷତିପୂରଣ ଦିଆଯାଇଛି । ଏଥିପାଇଁ ବିଶ୍ୱ ବ୍ୟାଙ୍କ୍ ଋଣ ଆକାରରେ ଅନୁଦାନ ଦେଉଛି । ତେଣୁ ଶକ୍ତି ବିଭାଗର କ୍ଷୟକ୍ଷତି କିପରି କମ୍ ହୋଇପାରିବ ସେଥିପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି ।