ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବା ଦୁଇ ମନ୍ତ୍ରୀଙ୍କୁ ହତ୍ୟା ପାଇଁ ସୁପାରି ଦିଆଯାଇଥିବା ଅଭିଯୋଗକୁ ନେଇ କମିଶନରେଟ୍ ପୋଲିସ ତଦନ୍ତକୁ ଜୋରଦାର କରିଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଟାର୍ଗେଟ୍ କରାଯାଇଥିବା ଦାବି, ଭାଇରାଲ୍ ଅଡିଓ ଓ ଏକ ବେସରକାରୀ ୱେବ୍ ଚ୍ୟାନେଲ ମାଲିକଙ୍କ ଅଭିଯୋଗକୁ ନେଇ ପୋଲିସ ସବୁ ଦିଗରୁ ଛାନଭିନ ଆରମ୍ଭ କରିଛି।
ସୋମବାର ପ୍ରେସମିଟ୍ରେ କମିଶନରେଟ୍ ପୋଲିସ କମିଶନର ଡ. ସୁରେଶ ଦେବ ଦତ୍ତ ସିଂହ କହିଛନ୍ତି ଯେ, ଘଟଣାର ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ତେଣୁ ଏହି ସମୟରେ ଅଧିକ ସୂଚନା ଦେବା ସମ୍ଭବ ନୁହେଁ। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଥିବାବେଳେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି।
ପୋଲିସ କହିଛି, ୱେବ୍ ଚ୍ୟାନେଲ ମାଲିକଙ୍କ ଉପରେ ହୋଇଥିବା ଆକ୍ରମଣ, ଦୁଇ ମନ୍ତ୍ରୀଙ୍କୁ ସୁପାରି ଦେଇ ହତ୍ୟା କରିବା ଅଭିଯୋଗ, ଅନଲାଇନରେ ଚରିତ୍ର ହରଣ, ଡିଜିଟାଲ୍ କ୍ୟାମ୍ପେନ୍ ଏବଂ ଟଙ୍କା ଆଦାୟ ପାଇଁ ଧମକ ଭଳି ସମସ୍ତ ଅଭିଯୋଗର ଖୋଳତାଡ଼ କରାଯାଉଛି। ଏହି ଘଟଣାରେ କାହାର ସମ୍ପୃକ୍ତି ଥିଲେ, ତାଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା ପଦକ୍ଷେପ ନିଆଯିବ ବୋଲି କମିଶନର ସ୍ପଷ୍ଟ କରିଛନ୍ତି।
ଏହି ବିବାଦ ସେତେବେଳେ ଅଧିକ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଏକ ବେସରକାରୀ ୱେବ୍ ଚ୍ୟାନେଲର ମାଲିକ ଦାବି କରିଥିଲେ ଯେ, ତାଙ୍କୁ ଦୁଇ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ସୁପାରି ଦିଆଯାଇଥିଲା। ଏହାସହ ଏକ ଭାଇରାଲ୍ ଅଡିଓ କ୍ଲିପ୍କୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଥିଲା। ସେହି ୱେବ୍ ଚ୍ୟାନେଲ ମାଲିକ ଆହୁରି ଅଭିଯୋଗ କରିଥିଲେ ଯେ, ସରକାରୀ ସ୍କୁଲ ପାଠ୍ୟପୁସ୍ତକର ତ୍ରୁଟିକୁ ଚାପି ଦେବା ପାଇଁ ଭିଡିଓ ପ୍ରସ୍ତୁତ କରିବା ବଦଳରେ ତାଙ୍କୁ ୫ ଲକ୍ଷ ଟଙ୍କା ପ୍ରସ୍ତାବ ଦିଆଯାଇଥିଲା।
ତେବେ ପୋଲିସ ଏପର୍ଯ୍ୟନ୍ତ ଭାଇରାଲ୍ ଅଡିଓ କିମ୍ବା ମନ୍ତ୍ରୀମାନଙ୍କ ସମ୍ପର୍କିତ ଅଭିଯୋଗର ସତ୍ୟତାକୁ ସ୍ୱୀକାର କରିନାହିଁ। ସମସ୍ତ ଦାବି ଓ ପ୍ରମାଣର ଯାଞ୍ଚ ଚାଲିଥିବାବେଳେ ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।