ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଓଭରବ୍ରିଜ୍ରେ ମଙ୍ଗଳବାର ସକାଳେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଆଗରେ ଯାଉଥିବା ଲୁହା ବୋଝେଇ ଟ୍ରକ୍କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା ଅନ୍ୟ ଏକ ମାଲବୋଝେଇ ଟ୍ରଲର। ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରଲରର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବାବେଳେ ଡ୍ରାଇଭର କ୍ୟାବିନ୍ ଭିତରେ ଫସିଯାଇଥିଲେ। ଘଟଣା ପରେ ଓଭରବ୍ରିଜ୍ରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା।
ଖବର ପାଇ ଖଣ୍ଡଗିରି ପୋଲିସ, ତିନୋଟି ପିସିଆର୍ ଟିମ୍ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କ୍ୟାବିନ୍ ଭିତରେ ଚାପି ରହିଥିବା ଡ୍ରାଇଭରଙ୍କୁ କଟର ମେସିନ୍ ସାହାଯ୍ୟରେ ଗାଡ଼ି କାଟି ବାହାର କରାଯାଇଥିଲା। ଗୁରୁତର ଆହତ ଡ୍ରାଇଭରଙ୍କୁ ତୁରନ୍ତ ଏମ୍ସ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ପଠାଯାଇଛି। ଦୁର୍ଘଟଣାରେ ଏକ ଟ୍ରକ୍ ଓଲଟି ପଡ଼ିଥିବା ସୂଚନା ମଧ୍ୟ ମିଳିଛି।
ପ୍ରାଥମିକ ସୂଚନା ଅନୁସାରେ, ଗୋଟିଏ ଟ୍ରକ୍ ଝାଡ଼ଖଣ୍ଡରୁ ଆସୁଥିବାବେଳେ ଅନ୍ୟଟି କୋଲକାତାରୁ ତାମିଲନାଡୁ ଅଭିମୁଖେ ଯାଉଥିଲା। ଧକ୍କା ଖାଇଥିବା ଟ୍ରକ୍ର ଡ୍ରାଇଭର କହିଛନ୍ତି ଯେ ସେ ପ୍ରାୟ ୩୦ କିଲୋମିଟର ବେଗରେ ଧୀରେ ଧୀରେ ଗାଡ଼ି ଚଳାଉଥିଲେ। ହଠାତ୍ ପଛପଟୁ ଆସୁଥିବା ଟ୍ରଲର ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଧକ୍କା ପରେ ଅନ୍ୟ ଡ୍ରାଇଭରଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ସେ କହିଛନ୍ତି।
ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ପୋଲିସ ପ୍ରାଥମିକ ତଦନ୍ତରେ ଆହତ ଡ୍ରାଇଭର ଗାଡ଼ି ଚଳାଇବା ସମୟରେ ଘୁମିଯାଇଥିବା ସନ୍ଦେହ କରୁଛି। ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।
ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଏହି ଖଣ୍ଡଗିରି ଓଭରବ୍ରିଜ୍ରେ ଏକ ହିଟ୍-ଆଣ୍ଡ-ରନ୍ ଘଟଣାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ଏହି ଓଭରବ୍ରିଜ୍ରେ ସଡ଼କ ସୁରକ୍ଷା, ଗତି ନିୟନ୍ତ୍ରଣ ଏବଂ ଭାରୀ ଯାନବାହନ ଉପରେ କଡ଼ା ନଜରଦାରି ଦାବି ଜୋର ଧରିଛି।