ପୁରୀ: ହେରା ପଞ୍ଚମୀରେ ରାଗରେ ଜର୍ଜରିତ ଅଭିମାନିନୀ ମହାଲକ୍ଷ୍ମୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦେଇଛନ୍ତି । ପୁଣି ଥରେ ଶ୍ରୀମନ୍ଦିରକୁ ଫେରିଯିବାକୁ ଆଜିଠାରୁ ସଜବାଜ ଆରମ୍ଭ କରିବେ ତିନି ଠାକୁର । ଆଜି ତିନିର ଦକ୍ଷିଣ ମୋଡ଼ କରାଯିବ ।
ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ତିନି ରଥର ଦକ୍ଷିଣମୋଡ଼ କରାଯିବ । ଆଜି ସକାଳୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ସମସ୍ତ ନିତିକାନ୍ତି ସୁରୁଖୁରେ ଚାଲିଛି । ମଙ୍ଗଳ ଆଳତୀ, ଅବକାସ, ମଇଲମ, ତଡ଼ପ ଲାଗି ପରେ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ଏହା ପରେ ତିନି ଠାକୁରଙ୍କ ବାଡ଼ରୁ ତିନି ରଥ ପାଇଁ ପାଳିଆ ସେବାୟତମାନେ ଆଜ୍ଞାମାଳ ଆଣିବେ । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ, ପରେ ପ୍ରଭୁ ଜଗନ୍ନାଥଙ୍କ ରଥ ଏବଂ ଦେବୀ ସୁଭଦ୍ରାଙ୍କ ରଥକୁ ଆଜ୍ଞାମାଳ ବିଜେ କରାଯିବ । ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ରଥରେ ଦକ୍ଷିଣମୋଡ଼ ପାଇଁ ପ୍ରଥମେ ବିଜେ କାହାଳି ବାଜିବ । କିନ୍ତୁ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନକୁ ପ୍ରଥମେ ଟଣାଯାଇ ଦକ୍ଷିଣ ମୋଡ଼ କରାଯିବ ଅର୍ଥାତ ଶ୍ରୀମନ୍ଦିର ଆଡ଼କୁ ମୁଖା କରି ରଖାଯିବ । ବଡ଼ଶଙ୍ଖ ପାଖକୁ ଯାଇ ପରେ ପଛକୁ ପଛକୁ କରି ନାକଚଣା ଦ୍ୱାର ପାଖେ ରଖାଯିବ । ପରେ ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ ।
ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ଫୋର୍ସ, ସେବାୟତ ଏବଂ ଶ୍ରଦ୍ଧାଳୁମାନେ ଦକ୍ଷିଣ ମୋଡ଼ ପ୍ରକ୍ରିୟାରେ ସାମିଲ ହେବେ । ଦକ୍ଷିଣ ମୋଡ଼ ସମୟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇପାରନ୍ତି । ସେଥିପାଇଁ ପ୍ରାୟ ୫୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।