ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ଅପରାଧୀଙ୍କ ଆତଙ୍କ। ଦିନ ଦ୍ୱିପ୍ରହରରେ ସର୍ବସାଧାରଣଙ୍କ ସାମ୍ନାରେ ଖଣ୍ଡା ବୁଲାଇ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏହି ଘଟଣା ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳରେ ଘଟିଥିବାବେଳେ ସମଗ୍ର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି।
ଆକ୍ରମଣରେ ଦୀପକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଧାରୁଆ ଖଣ୍ଡା ଚୋଟରେ ସେ ରକ୍ତାକ୍ତ ହୋଇ ରାସ୍ତାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତରମାନେ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଆକ୍ରମଣ ପଛରେ ପ୍ରକୃତ କାରଣ କ'ଣ ଏବଂ ଏଥିରେ କେତେଜଣ ସମ୍ପୃକ୍ତ, ସେନେଇ ଲିଙ୍ଗରାଜ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ ସହ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରାଯାଉଛି।
ଏପଟେ ଲଗାତାର ଘଟୁଥିବା ହିଂସାତ୍ମକ ଘଟଣା ରାଜଧାନୀର ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଗତକାଲି ବାଲିପାଟଣା ଅଞ୍ଚଳରେ ଉଧାର ଟଙ୍କା ମାଗିବାକୁ ନେଇ ଘରେ ପଶି ମାଆ-ପୁଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାବେଳେ, ଆଜି ପୁଣି ସାମନ୍ତରାୟପୁରରେ ଦିନଦ୍ୱିପ୍ରହରରେ ଖଣ୍ଡା ବୁଲିବା ଘଟଣା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ରାଜଧାନୀରେ ବଢ଼ୁଥିବା ଅପରାଧ ଉପରେ ଅଙ୍କୁଶ ଲଗାଇବା ପାଇଁ ପୁଲିସର କଡ଼ା ପଦକ୍ଷେପ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।