ଭୁବନେଶ୍ୱର: କୋଇଲା ଓ ପାଉଁଶ ପରିବହନ ଗାଡ଼ି ଉପରେ ସରକାର କଟକଣା ଜାରି କରିଛନ୍ତି । ଏଣିକି ସକାଳ ୬ ଟାରୁ ରାତି ୧୦ ପର୍ଯ୍ୟନ୍ତ ଚାଲି ପାରିବନି ପାଉଁଶ ଓ କୋଇଲା ପରିବହନ ଗାଡ଼ି । ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ଏହି କଟକଣା ଜାରି କରାଯାଇଛି ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ଓଡ଼ିଶାର ତାପଜ ବିଦ୍ୟୁତ୍ ଉତ୍ପାଦନର ୯୪ ପ୍ରତିଶତ ହୁଏ । ଓପିଜିସି ଓ ଜେଏସଡବ୍ଲ୍ୟୁ ବିଦ୍ୟୁତ୍ ଉତ୍ପାଦନ କରନ୍ତି । ସେଥିରୁ ବାହାରୁଥିବା ପାଉଁଶ ପରିବହନ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ରହିଛି । କିନ୍ତୁ ସମ୍ପୂର୍ଣ୍ଣ ସମସ୍ୟା ସମାଧାନ ହୋଇ ପାରିନାହିଁ । ବଡ଼ ବଡ଼ ଗାଡି ଯିବା ଆସିବା ଯୋଗୁଁ ଅନେକ ସମୟରେ ଅନେକ ସମସ୍ୟା ଉତ୍ପନ୍ନ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ପାଉଁଶ ପରିବହନ ଓ ଲୋକଙ୍କ ଯାତାୟାତ ସମୟ ଅଲଗା ଅଲଗା ଧାର୍ଯ୍ୟ କରାଯାଇଛି। କୋଇଲା ଏବଂ ପାଉଁଶ ପରିବହନ କରୁଥିବା ଗାଡ଼ି ଗୁଡ଼ିକ କେବଳ ରାତି ୧୦ରୁ ସକାଳ ୬ ଟା ପର୍ଯ୍ୟନ୍ତ ଯାତାୟାତ କରି ପାରିବ । ସେହିପରି ସକାଳ ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ସାଧାରଣ ଲୋକ ଯାତାୟତ କରିବେ । ଏହି ସମୟ ମଧ୍ୟରେ ଦୁଇ ଚକିଆ,ଚାରି ଚକିଆ ଯାନ ସହ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡ଼ି ଗୁଡ଼ିକ ଯାତାୟାତ କରିବ । ଯଦି କୌଣସି କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି ଗୁଡ଼ିକ ଯାତାୟାତ କରିବା ଖବର ଆସିବ ତେବେ ସମ୍ପୃକ୍ତ ଗାଡ଼ି ମାଲିକ ଓ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।