ଭୁବନେଶ୍ୱର: ରାଜ୍ୟରେ ସାର ସଂକଟ ଦୂର କରିବାକୁ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛି । ଡିଏପିର ବିକଳ୍ପ କମ୍ଲେକ୍ସ ଫର୍ଟିଲାଇଜର ଏବଂ ୟୁରିଆର ବିକଳ୍ପବାବେ ଆମୋନିୟମ ସଲଫେଟକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ।
କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ଆୟୁକ୍ତ ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବାକୁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର ବିପୁଳ ପରିମାଣରେ ଆମୋନିୟମ୍ ସଲଫେଟ୍ ଯୋଗାଇବେ । ଯେଉଁଥିରେ ଯବକ୍ଷାରଜାନ ୨୦.୫ ପ୍ରତିଶତ ଏବଂ ସଲଫର୍ ୨୩ ପ୍ରତିଶତ ରହିଛି । ଯାହା ୟୁରିଆର ଆବଶ୍ୟକତାକୁ ପୂରଣ କରିବ । ଏହା ସହିତ ସଲଫରର ପରିମାଣ ଅଧିକ ଥିବାରୁ ମାଟିରେ ସଲଫର୍ ଅଭାବକୁ ମଧ୍ୟ ପୂରଣ କରିବ । ସେହିପରି ସେହିପରି ଚଳିତ ବର୍ଷ ଡିଏପି ଯୋଗାଣ ପ୍ରଭାବିତ ହୋଇଥିବାରୁ, ଭାରତ ସରକାର ନିୟମିତ ଭାବରେ ଡିଏପି ବିକଳ୍ପ ଭାବରେ କମ୍ଲେକ୍ସ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି । ପ୍ରତ୍ୟେକ ଜିଲ୍ଲାରୁ ପ୍ରତ୍ୟେକ ଯୋଗାଣରୁ ସମସ୍ତ ପ୍ରକାରର ସାରର ୬୦% ଉଠାଇବା ପାଇଁ ମାର୍କଫେଡକୁ ଦାୟିତ୍ୱ ଦିଆଯାଇଛି। ତେଣୁ ଜିଲ୍ଲା ସ୍ତରରେ ମାର୍କଫେଡ୍ କର୍ମଚାରୀମାନେ ଜିଲ୍ଲାକୁ ଯୋଗାଇ ଦିଆଯାଇଥିବା ପରିମାଣ ଅନୁସାରେ କମ୍ଲେକ୍ସ ସାର ଏବଂ ଆମୋନିୟମ୍ ସଲଫେଟ୍ ପାଇଁ ଇଣ୍ଟେଣ୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।