ଭୁବନେଶ୍ୱର: ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଯାହାର ମୁକାବିଲା କରିବାକୁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଉଛନ୍ତି । ପ୍ରଥମେ ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାଲିମେଳାରେ ବିଦ୍ୟୁତ ଉତ୍ପାଦନକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଛି। କମ୍ ବର୍ଷା ସତ୍ତ୍ୱେ ବିକଳ୍ପ ବ୍ୟବସ୍ଥା ଯୋଗୁଁ ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ରହିଛି । ତେଣୁ ବିଦ୍ୟୁତ ବା ପାଣି ଅଭାବ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଳ ସଙ୍କଟ ବେଳେ କୃଷିକୁ ଅଗ୍ରାଧିକାର ମିଳିବ । ବାଲିମେଳା ଓ ମାଛକୁଣ୍ଡ ଭଳି ବଡ଼ ବଡ଼ ଜଳାଶୟର କ୍ୟାଚମେଣ୍ଟ ଅଞ୍ଚଳରେ କମ୍ ବର୍ଷା ହୋଇଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଜନସାଧାରଣଙ୍କୁ ଆଦୌ ନଡରିବାକୁ ଆଶ୍ୱାସନା ଦେଇଛନ୍ତି। ଜଳାଶୟଗୁଡ଼ିକରେ ଥିବା ପାଣିକୁ ପ୍ରଥମେ ପାନୀୟ ଜଳ ଏବଂ ଚାଷ କାର୍ଯ୍ୟ ପାଇଁ ସଂରକ୍ଷିତ ରଖାଯିବ। ଏହା ପରେ ଯାଇ ବିଦ୍ୟୁତ ଉତ୍ପାଦନ ପାଇଁ ପାଣି ଦିଆଯିବ। ଗତବର୍ଷ ତୁଳନାରେ ଏଥର ଜଳସ୍ତର କମ୍ ଥିବାରୁ କୃଷି ଓ ଜଳସମ୍ପଦ ବିଭାଗ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି, ଯେପରି ଖରିଫ ଚାଷରେ କୌଣସି ଅସୁବିଧା ନହୁଏ। ଏଥିପାଇଁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସହ ମଧ୍ୟ ଆଲୋଚନା କରାଯାଇଛି।
ଉପ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାଲିମେଳାରେ ବିଦ୍ୟୁତ ଉତ୍ପାଦନକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଛି । କମ୍ ବର୍ଷା ସତ୍ତ୍ୱେ ବିକଳ୍ପ ବ୍ୟବସ୍ଥା ଯୋଗୁଁ ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ରହିଛି । ତେଣୁ ବିଦ୍ୟୁତ ବା ପାଣି ଅଭାବ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ।
ଏହି ସମସ୍ୟାର ସମାଧାନ ପାଇଁ ସରକାର ଏକ ବ୍ୟାପକ ଆପଦକାଳୀନ ଯୋଜନା (Contingency Plan) ପ୍ରସ୍ତୁତ କରିଛନ୍ତି। ଫସଲକୁ ବଞ୍ଚାଇବା ପାଇଁ କୃଷି, ଶକ୍ତି ଓ ଜଳସମ୍ପଦ ବିଭାଗ ମିଳିତ ଭାବେ କାମ କରୁଛନ୍ତି। ଜଳ-ବିଦ୍ୟୁତ ଉତ୍ପାଦନ କମିଥିବାରୁ ଶକ୍ତି ବିଭାଗ ଗ୍ରିଡକୋ ଏବଂ ଓଏଚପିସି ଜରିଆରେ ବାହାର ଗ୍ରିଡ୍ରୁ ବିଦ୍ୟୁତ ଆଣିବାକୁ ବ୍ୟବସ୍ଥା କରିଛନ୍ତି, ଯାହାଦ୍ୱାରା ଲୋକମାନେ ନିରବଚ୍ଛିନ୍ନ ବିଦ୍ୟୁତ ପାଇପାରିବେ।
ସେହିପରି ମାଛକୁଣ୍ଡ ପ୍ରକଳ୍ପର ବୈଷୟିକ ସମସ୍ୟା ଦୂର କରିବା ପାଇଁ ଓଡ଼ିଶା ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଆଲୋଚନା ଚଳାଇଛନ୍ତି, ଯେପରି ଏହି ପ୍ରକଳ୍ପରୁ ଶୀଘ୍ର ପୁଣିଥରେ ସମ୍ପୂର୍ଣ୍ଣ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇପାରିବ। ରାଜ୍ୟ ସରକାର ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି ଏବଂ ଜଳ ଓ ଶକ୍ତିର ସଠିକ୍ ପରିଚାଳନା ପାଇଁ ପ୍ରତିବଦ୍ଧ ଅଛନ୍ତି।
ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ବିଶାଳ କୁମାର ଦେବ, ଜଳସମ୍ପଦ ବିଭାଗ ଶାସନ ସଚିବ ଶୁଭା ଶର୍ମା ଏବଂ କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।