ମାଲକାନଗିରି: ଦୀର୍ଘ ଦିନର ଅପେକ୍ଷା ପରେ ମାଲକାନଗିରିବାସୀଙ୍କ ଉଡ଼ାଣ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ଖୁବଶୀଘ୍ର ମାଲକାନଗିରିରୁ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ୨୨ ତାରିଖରେ ଏୟାରପୋର୍ଟରେ ଟ୍ରାଏଲ ରନ୍ କରାଯିବ। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।
ଟ୍ରାଏଲ ରନ୍ ପୂର୍ବରୁ ଆଜି ଭୁବନେଶ୍ୱରରୁ ଆସିଥିବା ସୁରକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ ମନୋଜ ଦାସ ଏବଂ ଏରୋ ସେଫଗାର୍ଡର ସହକାରୀ ନିର୍ଦ୍ଦେଶକ ନୀରଜ ନାୟକ ମାଲକାନଗିରି ଏୟାରପୋର୍ଟର ତଦାରଖ କରିଛନ୍ତି। ସେମାନେ ରନୱେ, ସୁରକ୍ଷା ବ୍ୟବସ୍ଥା ଓ ଏୟାରପୋର୍ଟର ଭିତ୍ତିଭୂମି ସମୀକ୍ଷା କରିଥିଲେ।
ପରେ ଜିଲ୍ଲାପାଳ, ଏସ୍ପି, ଅଗ୍ନିଶମ ବିଭାଗ, ସିଡିଏମ୍ଓ, ପୂର୍ତ୍ତ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହ ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ଟ୍ରାଏଲ ରନ୍ର ସଫଳତା, ସୁରକ୍ଷା ବ୍ୟବସ୍ଥା ଏବଂ ପାରିପାର୍ଶ୍ୱିକ ପରିସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି।
ଆସନ୍ତାକାଲି ମଧ୍ୟ ଏୟାରପୋର୍ଟର ଚୂଡ଼ାନ୍ତ ଯାଞ୍ଚ କରାଯିବ। ସମସ୍ତ ସୁରକ୍ଷା ବ୍ୟବସ୍ଥା ପରୀକ୍ଷା କରିବା ସହ ରିହର୍ସଲ ମଧ୍ୟ କରାଯିବ। ସେହିପରି ମାଲକାନଗିରି ଏୟାରପୋର୍ଟର କନ୍ସଲଟାଣ୍ଟ ଅଶୋକ ରାଉତ ମଧ୍ୟ ୨୧ ତାରିଖରେ ପହଞ୍ଚି ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବେ।
ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ସୂଚନା ଅନୁଯାୟୀ, ୨୨ ତାରିଖର ଟ୍ରାଏଲ ରନ୍ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରାଏଲ ରନ୍ ସଫଳ ହେଲେ ଖୁବଶୀଘ୍ର ମାଲକାନଗିରିରୁ ନିୟମିତ ବିମାନ ସେବା ଆରମ୍ଭ ହେବ, ଯାହା ଏହି ପଛୁଆ ଜିଲ୍ଲାର ଯୋଗାଯୋଗ ଓ ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ।