ଭୁବନେଶ୍ୱର: ମୋବାଇଲ ଚୋରିକୁ ନେଇ କମିଶନରେଟ୍ ପୋଲିସକୁ ମିଳିଛି ବଡ଼ ସଫଳତା। ବିଭିନ୍ନ ଅଭିଯାନରେ ଉଦ୍ଧାର ହୋଇଥିବା ୩୭୫ଟି ଚୋରି ମୋବାଇଲ ଫୋନ୍ ସୋମବାର ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଇଛି। ଏହାସହ ଏହି ମାମଲାରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ମହମ୍ମଦ ସୈଫ ଅଲି ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କର ଏକ ଆନ୍ତଃରାଜ୍ୟ ମୋବାଇଲ ଚୋର ଚକ୍ର ସହ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ।
ପୋଲିସ କମିଶନର ଡ. ସୁରେଶ ଦେବ ଦତ୍ତ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କମିଶନରେଟ୍ ଅଧୀନ ବିଭିନ୍ନ ଥାନାର ସମନ୍ୱିତ ଚଢ଼ାଉ ବେଳେ ଏହି ମୋବାଇଲଗୁଡ଼ିକ ଉଦ୍ଧାର କରାଯାଇଥିଲା। ସମସ୍ତ ଫୋନର ମାଲିକାନା ଯାଞ୍ଚ ପରେ ସେଗୁଡ଼ିକୁ ଫେରାଇ ଦିଆଯାଉଛି। ସୋମବାର ପ୍ରାୟ ୧୫୦ ଜଣ ମାଲିକ ନିଜ ମୋବାଇଲ ନେଇଥିବାବେଳେ ଅନ୍ୟମାନଙ୍କୁ ମଧ୍ୟ ଯୋଗାଯୋଗ କରି ଫୋନ ହସ୍ତାନ୍ତର କରାଯିବ।
ତଦନ୍ତରୁ ଜଣାପଡ଼ିଛି ଯେ, ନିକଟରେ ଶେଷ ହୋଇଥିବା ପୁରୀ ରଥଯାତ୍ରା ସମୟରେ ପ୍ରାୟ ୧୫୦ଟି ମୋବାଇଲ ଚୋରି ହୋଇଥିଲା। ଲକ୍ଷାଧିକ ଭକ୍ତଙ୍କ ଭିଡ଼ର ସୁଯୋଗ ନେଇ ଚୋରମାନେ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ପରେ ଏହି ଚୋରି ମୋବାଇଲଗୁଡ଼ିକୁ ଭୁବନେଶ୍ୱରକୁ ଆଣିଥିବା ଅଭିଯୋଗ ରହିଛି।
ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କ ସମସ୍ତ ତଥ୍ୟ ଯାଞ୍ଚ କରିବା ସହ ତାଙ୍କର ଆନ୍ତଃରାଜ୍ୟ ଚୋର ଚକ୍ର ସହ ଥିବା ସମ୍ପର୍କର ଖୋଳତାଡ଼ କରୁଛି। ଏହି ରାକେଟରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ମଧ୍ୟ ଅଭିଯାନ ଜାରି ରହିଛି।
ପୋଲିସ କମିଶନର ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବସ୍, ମେଳା, ପର୍ବପର୍ବାଣୀ ଓ ରଥଯାତ୍ରା ଭଳି ଭିଡ଼ ସ୍ଥାନରେ ପକେଟମାର ଓ ମୋବାଇଲ ଚୋରମାନେ ସକ୍ରିୟ ରହୁଥିବାରୁ ନିଜ ସାମଗ୍ରୀ ପ୍ରତି ସତର୍କ ରହିବାକୁ କୁହାଯାଇଛି। କୌଣସି ଚୋରି କିମ୍ବା ସନ୍ଦେହଜନକ ଘଟଣା ଦେଖିଲେ ତୁରନ୍ତ ନିକଟସ୍ଥ ଥାନାକୁ ଖବର ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି।