ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ଦ୍ୱିତୀୟ ତଥା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ମାତ୍ର ପ୍ରଥମ ଦିନରୁ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି । ଶୋକ ପ୍ରସ୍ତାବ ପାରିତ ହେବା କ୍ଷଣି ବିରୋଧୀ ଦଳର ସଦସ୍ୟମାନେ ନାରାବାଜି କରିଛନ୍ତି । ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ମଧ୍ୟାହ୍ନ ୧୨ଟା ୨୫ ମିନିଟ୍ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଗୃହର ପ୍ରଥମ ଦିନରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ସମୀର ଦେ, ଧନେଶ୍ୱର ମାଝୀ, ମକରଧ୍ୱଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉତ୍କଳ କେଶରୀ ପରିଡ଼ା ଓ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଉଦ୍ଦେଶ୍ୟର ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏବଂ ସିପିଆଇ (ଏମ୍) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ବିଧାୟକ ସମର୍ଥନ କରିଥିଲେ । ସେହି ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା ହୋଇଥିଲା ।
ଯାହା ଆଶା କରାଯାଉଥିଲା ତାହା ହିଁ ପ୍ରତିଫଳିତ ହୋଇଛି । ଶୋକ ପ୍ରସ୍ତାବ ପାରିତ ହେବା ପରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଉତ୍ତର ରଖିଥିଲେ । ଏହି ସମୟରେ ବିରୋଧୀଙ୍କ ନାରାବାଜି ଆରମ୍ଭ ହୋଇଯାଇଥିଲା । ବିରୋଧୀଙ୍କ ହଟ୍ଟଗୋଳରେ କମ୍ପିଥିଲା ଶୀତ ଅଧିବେଶନରେ ପ୍ରଥମ ଦିନ । ସମ୍ବିଧାନ ପ୍ରସଙ୍ଗ ଉଠାଇ ମୁଖ୍ୟ ବିରୋଧୀ ବିଜେଡ଼ି ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ହୋହାଲ୍ଲା କରିଥିଲେ । ଆମ୍ବ ଟାକୁଆ ପ୍ରସଙ୍ଗ ଉଠାଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ବିବୃତ୍ତି ଦାବି କରିଥିଲା ଫଳରେ ପ୍ରଶ୍ନ କାଳ ସମ୍ପୂର୍ଣ୍ଣ ଧୋଇ ଯାଇଛି ।
ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ । ଚଳିତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି । ଡିସେମ୍ବର ୧, ୮, ୧୫, ୨୨ ଏବଂ ୨୯ ରବିବାର ପଡ଼ୁଥିବାରୁ ଏହି ଦିନମାନଙ୍କରେ ଗୃହ କାର୍ଯ୍ୟ ବନ୍ଦ ରହିବ । ସେହିପରି ବଡ଼ ଦିନ ପାଇଁ ଡିସେମ୍ବର ୨୫ ମଧ୍ୟ ଛୁଟି ରହିବ ।
ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହା ସହିତ ସରକାର ବିଭିନ୍ନ ବିଲ ଆଗତ କରିପାରନ୍ତି । ସେଥିପାଇଁ ଏହା ଉପରେ ଜନସାଧାରଣଙ୍କର ନଜର ରହିଛି ।