ପୁରୀ: ମହିଳାଙ୍କୁ ନ୍ୟାୟ ଦେବାକୁ ରାଜ୍ୟରେ ଖୁବ ଶୀଘ୍ର ମହିଳା କୋର୍ଟ ଖୋଲିବ । ସେଥିରେ କେବଳ ବିଚାରପତିଙ୍କଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ମହିଳା ରହିବେ । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ପୁରୀ ଜିଲ୍ଲା ନିମାପଡ଼ାରେ ଆୟୋଜିତ ଏକ ଆଇନ ସଚେତନତା ଶିବିରକୁ ଉଦଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଅବସରରେ ସେ ବଡ଼ ଘୋଷଣା କରିଛନ୍ତି । ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ମହିଳା କୋର୍ଟ ଖୋଲାଯିବ । ଏଥିରେ ବିଚାରପତି, ଓକିଲ ଏବଂ ଅନ୍ୟକର୍ମଚାରୀମାନେ ନିଯୁକ୍ତି ପାଇବେ । ମହିଳାମାନେ ଯେତେ ସଚେତନ ଏବଂ ଜାଗୃତ ହେବେ ରାଜ୍ୟ ସରକାର ମହିଳା ବିରୋଧୀ ହିଂସାରେ ଶୂନ୍ୟ ସହନଶୀଳତା ନେଇ ଯେଉଁ ଆଭିମୁଖ୍ୟ ରଖିଛନ୍ତି ସେଥିରେ ସଫଳ ହେବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।
ଏହି ଆଇନ ସଚେତନା ଶିବିରରେ ମହିଳା ପ୍ରତିନିଧି, ଆଇନଜୀବୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସିଡିପିଓ, ମିଶନ ଶକ୍ତି ଆଦି ବିଭିନ୍ନ ବିଭାଗର ମହିଳାମାନେ ଯୋଗ ଦେଇଥିଲେ ।