ଗୋପାଳପୁର: ଗୋପାଳପୁର ବନ୍ଦରରେ ଦୁଇଦିନ ଲାଗିଥିଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନ୍ଏସ୍ କୁଠାର (ଦ ବ୍ୟାଟଲ୍ ଆକ୍ସ) । ଅନୁମତି ମିଳିବା ପରେ ରବିବାର ଓ ସୋମବାର ଦୁଇଦିନ କାଳ ଏହି ଜାହାଜକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ହୋଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଏନ୍ସିସି କ୍ୟାଡେଟ୍ଙ୍କ ସମେତ ଗୋପାଳପୁର ବନ୍ଦରର ଅଧିକାରୀ ଓ କର୍ମଚାରୀ ଯୁଦ୍ଧ ଜାହାଜ ଦେଖି ଜ୍ଞାନ ହାସଲ କରିଛନ୍ତି ।ଏହାର ଫ୍ଲିଟ୍ ବ୍ୟାଜ୍ ହେଉଛି ନାଭାଲ୍ ଗୋଲ୍ ସଙ୍କେତ ମଧ୍ୟରେ ଥିବା ଜଳରାଶି ସହ କୁଠାର ଚିହ୍ନ । ଜାହାଜ ବିଷୟରେ ସମସ୍ତଙ୍କୁ ବିସ୍ତୃତ ଭାବେ ଏହାର ଷ୍ଟାଫ୍ ମାନେ ବୁଝାଉଥିଲେ । ଲୋକେମାନେ ଲମ୍ବାଧାଡ଼ିରେ ଯାଇ ବିଭିନ୍ନ ଉପକରଣ ଦେଖିବା ସହ ଜାହାଜ ସମ୍ପର୍କରେ ଅନେକ ତଥ୍ଯ ଜାଣିଥିଲେ। ନୌସେନା ସପ୍ତାହ ଅବସରରେ ଏହି ଯୁଦ୍ଧ ଜାହାଜ ନିଜର ଶକ୍ତି ପ୍ରଦର୍ଶିତ କରିବା ନେଇ ସିଗ୍ନାଲ୍ କମାଣ୍ଡାଣ୍ଟ ଅଫିସର୍ ଦୈବକ ଶାହା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଆସନ୍ତା ୪ ତାରିଖରେ ପୁରୀରେ ହେବାକୁ ଥିବା ନୌସେନା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଏହି ଜାହାଜ ଏଠାରୁ ପରବର୍ତ୍ତୀ ଯାତ୍ରା କରିଛି । ୩୪ ବର୍ଷ ପୁରୁଣା ଏହି ଯୁଦ୍ଧ ଜାହାଜରେ ୧୫୦ ଜଣ ଅଧିକାରୀ ଓ କର୍ମଚାରୀ ମୁତୟନ ଅଛନ୍ତି । ୧୯୯୦ ମସିହାରେ ଏହି ଜାହାଜ କମିଶନ୍ ଗଠନ ହୋଇଥିଲା । ଶତ୍ରୁ ଜାହାଜ ଚିହ୍ନଟ ପାଇଁ ରାଡାର୍ ସାଙ୍ଗକୁ ଆକ୍ରମଣର ମୁକାବିଲା ତଥା ପ୍ରତି ଆକ୍ରମଣ ପାଇଁ ଏଥିରେ ମିସାଇଲ୍ ରହିଛି । ସାମୁଦ୍ରିକ ଯୁଦ୍ଧ ପାଇଁ ବିଭିନ୍ନ କିସମର ଓ ବିଭିନ୍ନ ଆକାରର ସମସ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳର ଅସ୍ତ୍ର ଏଥିରେ ରହିଛି । ଏପରିକି ନୌସୈନା ଏକକ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, ବନ୍ଧୁକ ମଧ୍ୟ ରହିଛି । ଏଥରେ ଥିବା ଏକେ- ୬୩୦ କମାଣ ପ୍ରତି ମିନିଟ୍ରେ ପ୍ରାୟ ୫ ହଜାର ପର୍ଯ୍ୟନ୍ତ ଫାୟାରିଂ କରିପାରିବ । ସ୍ଥଳ ଭାଗରେ ୪ କିମି ଓ ସମୁଦ୍ରରେ ୫ କିମି ଦୂରତା ପର୍ଯ୍ୟନ୍ତ ଏହା ଗୁଳିବିନିମୟ କରିପାରିବ । ଏହା ଭାରତୀୟ ନୌସେନାର ଇଷ୍ଟର୍ଣ୍ଣ ଫ୍ଲିଟ୍ (ପୂର୍ବତଟ ନୌଭେଳା) ଅନ୍ତର୍ଗତ ଅଟେ ।