ପୁରୀ: ବେଳାଭୂମିରେ ବାଲୁକା କଳାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୨୬/୧୧ମୁମ୍ବାଇ ଆକ୍ରମଣକୁ ମନେପକାଇଛନ୍ତି । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଜୀବନ ଯାଇଥିବା ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି | ଆତଙ୍କବାଦ ବିରୁଦ୍ଧରେ ଏବେ ସାରା ବିଶ୍ବ ଏକାଠି ବୋଲି ବାର୍ତ୍ତା ଦେଇଛନ୍ତି।
୨୦୦୮ ମସିହା ୨୬/୧୧ ମୁମ୍ବାଇ ଆକ୍ରମଣକୁ ଆଜି ପୁରିଛି ୧୬ ବର୍ଷ । ଯେଉଁଦିନ ଥିଲା ଭାରତ ପାଇଁ ଏକ କଳଙ୍କିତ ଦିନ। ଠିକ ଆଜିର ଦିନରେ ଜଳପଥରେ ଆସି ମୁମ୍ବାଇରେ ପଶିବା ପରେ ଆତଙ୍କବାଦୀମାନେ ଯେଉଁ ମୃତ୍ୟୁର ତାଣ୍ଡବ ରଚିଥିଲେ ତାହା କେହି ଭୁଲି ନାହାନ୍ତି । ଏହି ଆକ୍ରମଣରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୩ଶହରୁ ଅଧିକ ଆହତ ହୋଇଥିଲେ । ଆତଙ୍କବାଦୀ ପ୍ରଥମେ ଶିବାଜୀ ଟର୍ମିନାଲ ପରେ ମାୟାନଗରୀର ବିଭିନ୍ନ ସ୍ଥାନରେ ଆଖିବୁଜା ଗୁଳିମାଡ କରି ବ୍ୟାପକ ଧନଜୀବନ ହାନି କରି ଆତଙ୍କ ଖେଳାଇ ଦେଇଥିଲେ ।
ସମୟ ବଦଳିଛି ଏବେ ମୁମ୍ବାଇର ସୁରକ୍ଷା ବ୍ୟବସ୍ଥା ଶହେ ଗୁଣା ସୁଦୃଢ ହୋଇଛି । ଏବେ କୌଣସି ଆତଙ୍କବାଦୀ ମାୟାନଗରୀ ଉପରେ ଆକ୍ରମଣ କରିବାକୁ ହେଲେ ଶହେ ଥର ଚିନ୍ତା କରିବ। ମୁମ୍ବାଇ ସହର ସାରା ସିସିଟିଭି କ୍ୟାମେରା ଲଗାଯାଇଛି। ସନ୍ଦିଗ୍ଧ ଗତିବିଧି ଦେଖିଲେ କୁଇକ୍ ରେସପନ୍ସ ଟିମ ଘଟଣାସ୍ଥଳରେ ପହଂଚିଯାଉଛି। ସମୁଦ୍ର ପଥରେ ସୁରକ୍ଷାକୁ କଡାକଡି କରାଯାଇଛି। ଏହାଛଡା ଭାରତୀୟ ଗୁଇନ୍ଦା ବିଭାଗ ଆହୁରି ଶକ୍ତିଶାଳୀ ହୋଇଛି।