ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଜିତି ଦମଦାର ଭାବେ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିଛି । ଭାରତୀୟ ଦଳ ପର୍ଥ ଟେଷ୍ଟ ଜିତି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଏବେ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୬ରୁ ଆଡିଲେଡରେ ଖେଳାଯିବ । ଏହା ପୂର୍ବରୁ ଖବର ଆସିଛି ଯେ, ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଭାରତ ଫେରୁଛନ୍ତି । ବର୍ଡର-ଗାଭାସ୍କର ଟ୍ରଫି ମଧ୍ୟରେ ମୁଖ୍ୟ କୋଚ୍ ଭାରତ ଫେରିବା ସଭିଙ୍କୁ ଚକିତ କରିଛି । ହେଲେ ସେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ପୁଣି ଭାରତୀୟ ଦଳରେ ଯୋଗ ଦେବେ ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଗୌତମ ଗମ୍ଭୀର ପରିବାରର ଜରୁରୀକାଳୀନ ସ୍ଥିତି କାରଣରୁ ଅଷ୍ଟ୍ରେଲିଆରୁ ଭାରତ ଫେରୁଛନ୍ତି । ତେବେ ଆଡିଲେଡରେ ପିଙ୍କ ବଲ୍ ଟେଷ୍ଟ ପୂର୍ବରୁ ସେ ପୁଣି ଅଷ୍ଟ୍ରେଲିଆ ପହଞ୍ଚି ଯିବେ । ପର୍ଥର ଅପଟସ ଷ୍ଟାଡିୟମରେ ଭାରତର ଐତିହାସିକ ବିଜୟର ସାକ୍ଷୀ ଥିବା ଗୌତମ ଗମ୍ଭୀର ଗୋଟିଏ ପଟେ ଭାରତ ଆସୁଥିବା ବେଳେ ଅନ୍ୟପଟେ ଭାରତୀୟ ଦଳ କାନବେରାରେ ପିଙ୍କ ବଲରେ ଦୁଇ ଦିନିଆ ଅଭ୍ୟାସ୍ ମ୍ୟାଚ୍ ଖେଳିବ । ଏହି ସମୟରେ ଗମ୍ଭୀର ଭାରତୀୟ ଦଳ ସହ ରହିବେ ନାହିଁ ।
ଶନିବାର ନଭେମ୍ବର ୩୦ରୁ କାନବେରାରେ ଦୁଇ ଦିନିଆ ଅଭ୍ୟାସ୍ ମ୍ୟାଚ୍ ଖେଳାଯିବ । ଗୋଟିଏ ଦିନ ଦଳ ବ୍ୟାଟିଂ କରିବ ଏବଂ ଗୋଟିଏ ଦିନ ଫିଲ୍ଡିଂ କରିବ । ପିଙ୍କ ବଲ୍ ଟେଷ୍ଟ ବହୁତ କଠିନ ହୋଇଥାଏ । ତେଣୁ ଏହାର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ମଧ୍ୟରେ ବହୁତ ବ୍ୟବଧାନ ରଖାଯାଇଛି । ଆଉ ଏହି ସମୟରେ ଗମ୍ଭୀର ଫ୍ୟାମିଲି ଏମରଜେନ୍ସିଂ କାରଣରୁ ନିଜ ପରିବାର ସହ ସମୟ ବିତାଇବା ପାଇଁ ଭାରତ ଯିବେ ।