ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୀତ ଅଧିବେଶନର ପ୍ରଥମ ଦିନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୃହରେ ବଜେଟ୍ ଉପସ୍ଥାପନ କରିଛନ୍ତି । ବିଭିନ୍ନ ବିଭାଗ ପାଇଁ ମୋଟ ୧୨,୧୫୬ କୋଟିର ବ୍ୟୟବରାଦ କରାଯାଇଛି । ଏଥିରେ ଶ୍ରୀମନ୍ଦିର ରତ୍ନ ଭଣ୍ତାର ପାଇଁ ୫ କୋଟି, ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୧୦୫୬ କୋଟି ପ୍ରମୁଖ ରହିଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ରତ୍ନ ଭଣ୍ଡାର ପାଇଁ ୫ କୋଟି, ଅଗ୍ନିଶମ ସେବର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ୬୦ କୋଟି, କୋଠ ଭୋଗ ଦାନ ଯୋଜନା ପାଇଁ ୧୫ କୋଟି, ଶ୍ରଦ୍ଧାଳୁମାନେ ରଥରେ ନ ଚଢ଼ିବାରୁ ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ ୧୨ କୋଟି ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କ ପାରିଶ୍ରମିକ ବ୍ୟବସ୍ଥା ପାଇଁ ୫ କୋଟି ବ୍ୟୟବରାଦ କରାଯାଇଛି ।
ବିପର୍ୟ୍ୟୟ ପ୍ରଶମନ ପାଣ୍ଠିରେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ନିମନ୍ତେ ୧୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୨୭୧୬ କୋଟି ବ୍ୟୟବରାଦ କରାଯାଇଛି । ସେଥିରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୧୦୫୬ କୋଟି, ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଓ ମିଶନ ଶକ୍ତି ପାଇଁ ୨୫ କୋଟି ରହିଛି ।
ଆଇନ ଓ ଶୃଙ୍ଖଳା ବାବଦକୁ ୧୩୫୨ କୋଟି ବ୍ୟୟ ବରାଦ ହୋଇଛି । କାରାଗାର ନିର୍ମାଣ ପାଇଁ ୧୦୩ କୋଟି, ଓଡ଼ିଶାରେ ସିଏପିଏଫ୍ ମୁତୟନ ପାଇଁ ୨୯୯ କୋଟି, ପୋଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି, ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିବାକୁ ୧୨୫ କୋଟି ଟଙ୍କାର ବଜେଟ୍ ରହିଛି । ସେହିପରି ଭିତ୍ତିଭୂମି ବିକାଶ ପାଇଁ ୩୦୮୭ କୋଟି ବ୍ୟୟ ଅଟକଳ ହୋଇଛି ।
ଶିକ୍ଷା ବିଭାଗ ପାଇଁ ୧୨୮୬ କୋଟି ବ୍ୟୟ ବରାଦ କରାଯାଇଥିବାବେଳେ ସେଥିମଧ୍ୟରେ ସମଗ୍ର ଶିକ୍ଷା ପାଇଁ ୫୦୨ କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୦ କୋଟି, ପ୍ରଧାନ ଶ୍ରୀ ପାଇଁ ୧୨୩ କୋଟି, ଆଇଟିଆଇ ପାଇଁ ୧୩୦ କୋଟି ଓ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୬୧ କୋଟି ରହିଛି ।
ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିକାଶ ପାଇଁ ୭୬୮ କୋଟି, କୃଷି ଓ ଜଳ ସେଚନ ପାଇଁ ୩୭୯ କୋଟି ଏବଂ ଓଡ଼ିଆ ଭାଷା ଓ ସଂସ୍କୃତି ନିମନ୍ତେ ୨୦୨ କୋଟି ବ୍ୟୟ ବରାଦ କରିଛନ୍ତି ମୋହନ ସରକାର ।