ରାଜ୍ୟରେ ହାତୀ-ମଣିଷ ମୁହାଁମୁହିଁ । ବିଗତ ୩ ବର୍ଷ ଧରି ହାତୀ ଆକ୍ରମଣରେ ଗଡ଼ିଲାଣି ୬୬୮ ମୁଣ୍ଡ। ଆହତ ସଂଖ୍ୟା ୫୦୯। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏସଂକ୍ରାନ୍ତରେ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବିପକ୍ଷଦଳ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।
ସୂଚନାନୁଯାୟୀ ରାଜ୍ୟରେ ହାତୀ ଉପଦ୍ରଵ ବୃଦ୍ଧି ପାଇଛି। ୧୩୯ ଗୃହପାଳିତ ପଶୁ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। କେବଳ ଏତିକି ନୁହେ ହାତୀ ଉପଦ୍ରଵ ଯୋଗୁଁ ୭୩,୬୨୦ ଏକର ଫସଲ ନଷ୍ଟ ହେବା ସହ ୧୦,୨୫୯ଟି ଘର ନଷ୍ଟ ହୋଇଛି।
କେବଳ ହାତୀ ନୁହେଁ କୁମ୍ଭୀର ଆତଙ୍କ ମଧ୍ୟ ଦେଖିବାକୁ ମିଳିଛି ରାଜ୍ୟରେ। ବିଗତ ୫ ବର୍ଷରେ କୁମ୍ଭୀର ଆକ୍ରମଣରେ ଗଡ଼ିଲାଣି ୨୨ଜଣଙ୍କ ମୁଣ୍ଡ। ଖରସ୍ରୋତା, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆକ୍ରମଣରେ ସଂଖ୍ୟା ବୃଦ୍ଧି ଦେଖିବାକୁ ମିଳିଛି। ବିଶେଷକରି ବର୍ଷା ଯୋଗୁଁ ପାଣି ସ୍ତରରେ ବୃଦ୍ଧି ହେଉଥିବାରୁ କୁମ୍ଭୀର ଆକ୍ରମଣ ବୃଦ୍ଧି ପାଇଛି।